ଡାକ୍ତର ବଦଳିକୁ ନେଇ ସହରରେ ତୀବ୍ର ଅସନ୍ତୋଷ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ସରକାର ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ପ୍ରୟାସ ଜାରି ରଖିଥିବାବେଳେ ସାରା ରାଜ୍ୟରେ ସରକାରୀ ଡାକ୍ତରଖାନା ଗୁଡ଼ିକରେ ଡାକ୍ତର ଅଭାବ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି ସମସ୍ୟାରୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ମଧ୍ୟ ବାଦ ପଡ଼ିନାହିଁ । ବହୁ ପୁରାତନ ତଥା ଏକଦା ପଡ଼ୋଶୀ ଜିଲ୍ଲାଗୁଡ଼ିକ ମଧ୍ୟ ନିର୍ଭର କରୁଥିବା ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ତା’ର ପୂର୍ବ ଗୌରବ ହରାଇ କେବଳ ଏକ ରେଫେରାଲ ହସ୍ପିଟାଲରେ ପରିଣତ ହୋଇଛି । ଏଠାରେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ତଥା ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଧାରଣା ପ୍ରଦର୍ଶନ ସହ ଦାବୀ ହୋଇ ଆସୁଥିଲା । ପରିଣାମସ୍ୱରୂପ କିଛିଦିନ ପୂର୍ବରୁ ଏଠାରେ ୨ଜଣ ଡାକ୍ତର ନିଯୁକ୍ତ ହୋଇଥିବାବେଳେ ଆଗାମୀ ଦିନରେ ଆଉ ୨ଜଣ ଡାକ୍ତର କାର୍ଯ୍ୟରେ ଯୋଗଦେବାକୁ ଥିବା ନେଇ ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଥିଲା । ହେଲେ ଜଣେ ମହିଳା ଡାକ୍ତର ଗୋଟିଏ ଦିନ କାର୍ଯ୍ୟରେ ଯୋଗଦେଇ ସଙ୍ଗେସଙ୍ଗେ ରିଲିଫ ହୋଇଥିଲେ ଏବଂ ଗତ ମାସ ୧୨ ତାରିଖରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସର୍ଜରୀ ବିଭାଗର ଡା. ବିନୟ ଭୂଷଣ ସାହୁଙ୍କୁ ମାତ୍ର ମାସକ ମଧ୍ୟରେ କୋରାପୁଟ ମେଡିକାଲ କଲେଜକୁ ବଦଳି କରାଯାଇଛି । ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।