ଡିସେମ୍ବର ୧ରୁ ହେଉଛି ୪ଟି ପରିବର୍ତ୍ତନ

ନୂଆଦିଲ୍ଲୀ,ଏଜେନ୍ସି: ବଢ଼ିବ ଡିଆସିଲି ଦର
୧ ଡିସେମ୍ବରରୁ ବଢ଼ୁଛି ଡିଆସିଲି ଦର। ଅର୍ଥାତ୍ ବର୍ତ୍ତମାନ ୧ ଟଙ୍କା ବଦଳରେ ମିଳୁଥିବା ଡିଆସିଲି ଏଣିକି ୨ ଟଙ୍କା ବଦଳରେ ମିଳିବ। ଦୀର୍ଘ ୧୪ ବର୍ଷର ଅନ୍ତରାଳରେ ଦର ପରିବର୍ତ୍ତନ ହେବାକୁ ଯାଉଛି। ଶେଷଥର ପାଇଁ ୨୦୦୭ରେ ଡିଆସିଲି ଦର ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି ପାଇଥିଲା। ଅପରପକ୍ଷରେ ସମ୍ପ୍ରତି ପ୍ରତି ଡିଆସିଲିରେ ୩୭ କାଠି ରହୁଥିବା ବେଳେ କାଠିର ସଂଖ୍ୟା ୫୦କୁ ବୃଦ୍ଧି କରାଯାଇଛି।

ପିଏନ୍‌ବି ସଞ୍ଚୟ ଖାତାରେ ସୁଧ ହାର ହ୍ରାସ
ରାଷ୍ଟ୍ରାୟତ୍ତ କ୍ଷେତ୍ରର ଅନ୍ୟତମ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ୍ (ପିଏନ୍‌ବି) ୧, ଡିସେମ୍ବର ପରଠାରୁ ସଞ୍ଚୟ ଖାତାରେ ମିଳୁଥିବା ସୁଧ ହାର ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛି। ସମ୍ପ୍ରତି ପିଏନ୍‌ବିର ସମସ୍ତ ଚଳିତ ଓ ନୂଆ ସଞ୍ଚୟ ଖାତାରେ ବାର୍ଷିକ ୨.୯% ହାରରେ ସୁଧ ମିଳୁଥିବା ବେଳେ ୧, ଡିସେମ୍ବର ପରଠାରୁ ୧୦ ଲକ୍ଷରୁ କମ୍ ଟଙ୍କା ଅବଶେଷ ଥିବା ସଞ୍ଚୟ ଫଣ୍ଡ୍ ତଥା ଖାତାରେ ବାର୍ଷିକ ସୁଧ ହାର ୨.୮% ଓ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅବଶେଷ ରହିଥିବା ଖାତାରେ ବାର୍ଷିକ ୨.୮୫% ହାରରେ ସୁଧ ମିଳିବ।

ଏସ୍‌ବିଆଇ କ୍ରେଡିଟ୍‌କାର୍ଡରେ ଇଏମ୍‌ଆଇ ହେବ ମହଙ୍ଗା
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ (ଏସ୍‌ବିଆଇ) କ୍ରେଡିଟ୍‌କାର୍ଡରେ ପ୍ରତି ଇଏମ୍‌ଆଇ ଟ୍ରାଞ୍ଜାକ୍ସନ୍‌ରେ ୯୯ ଟଙ୍କା ତଥା ଶୁଳ୍କ୍ସ ଲାଗୁହେବ। ମର୍ଚ୍ଚାଣ୍ଟ୍ ଆଉଟ୍‌ଲେଟ୍‌, ଇ-ବାଣିଜ୍ୟ ୱେବ୍‌ସାଇଟ୍‌ସ ଓ ବିଭିନ୍ନ ଆପ୍ ଜରିଆରେ କ୍ରୟ କରିବା ସ୍ଥଳେ ଶୁଳ୍କ ଦେବାକୁ ପଡ଼ିବ। ଏହି ପ୍ରୋସେସିଂ ଶୁଳ୍କ କ୍ରେଡିଟ୍‌କାର୍ଡ ଉପଯୋଗ କରି ଇଏମ୍‌ଆଇ ଜରିଆରେ କୌଣସି ପଦାର୍ଥ କ୍ରୟ କରିବା ସ୍ଥଳେ କାର୍ଡପ୍ରଦାନକାରୀ ଦ୍ୱାରା ଲାଗୁ କରାଯାଉଥିବା ସୁଧ ଅତିରିକ୍ତ ରହିବ।

ଇପିଏଫ୍‌ରେ ୟୁଏଏନ୍‌-ଆଧାର ଅନିବାର୍ଯ୍ୟ
କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (ୟୁଏଏନ୍‌) ସହିତ ଆଧାରକାର୍ଡର ସଂଯୋଗ କରିବା ପାଇଁ ଅନ୍ତିମ ତାରିଖ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରଥିଲା। ଏହି ତାରିଖ ସୁଦ୍ଧା ସଂଯୋଗ ନକରିବା ପରିପ୍ରେକ୍ଷୀରେ ନିଯୁକ୍ତିକର୍ତ୍ତା କର୍ମଚାରୀଙ୍କ ଇପିଏଫ୍ ଖାତାରେ ଯୋଗଦାନ ରାଶି ଜମା କରିପାରିବେ ନାହିଁ। ଅପରପକ୍ଷରେ କର୍ମଚାରୀ ନିଜ ଖାତାରୁ ଅଂଶଧନ ଉଠାଇବାରେ ଅସୁବିଧାର ସାମ୍ନା କରିବେ। ଏହାବ୍ୟତୀତ ଇପିଏଫ୍ ମଧ୍ୟ ଅନ୍ୟ ଉପଲବ୍‌ଧ ସୁବିଧା ସୁଯୋଗ ପାଇଁ ୟୁଏଏନ୍‌-ଆଧାର ସଂଯୋଗ ଅନିବାର୍ଯ୍ୟ କରିଛି।