ଚୋରି ସାମଗ୍ରୀ ଜବତ : ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଟାଉନ ଥାନା ପୁଲିସ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରି ୨ଜଣକୁ ଗିରଫ କରିଥିବା ଏସଡିପିଓ ଗୁଣନିଧି ମଲ୍ଲିକ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି। ଗିରଫ ୨ ଅଭିଯୁକ୍ତ କୋରାପୁଟ ଟିକିରା ସାହିର କାର୍ତିକ ଖୀଲ ଓ ପୁରୁଣା କୋରାପୁଟର ଆଦିତ୍ୟ ଖରା ବୋଲି ଜଣାପଡ଼ିଛି। ଟାଉନ ଥାନା ଅଧିକାରୀ ଧୀରେନ୍ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଏସଡିପିଓ କହିଛନ୍ତି ଯେ, ଗିରଫ ଅଭିଯୁକ୍ତ କାର୍ତିକ ଖୀଲ ଜଣେ ଅଭ୍ୟାସଗତ ଚୋର ଓ ଗତ ୨ବର୍ଷରେ ତା’ ବିରୁଦ୍ଧରେ ୧୨ଟି ମାମଲା ରୁଜୁ ହୋଇଛି। ଆଉ କିଛି ମାସ ପୂର୍ବରୁ ସେ ଜେଲରୁ ମୁକୁଳିଛି।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବରରୁ ୨୦୨୧ ଜାନୁଆରୀ ୧୫ ମଧ୍ୟରେ କୋରାପୁଟ ଟାଉନ୍ ଥାନାରେ ୪ଟି ଚୋରି ମାମଲା ରୁଜୁ ହୋଇଥିବାରୁ ଚୋରକୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। କାର୍ତିକ ଏକ ଚୋରି ଲାପଟପ୍ ବିକ୍ରି କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇପୁଲିସ କାବୁ କରି ନେଇଥିଲା। ଥାନାରେ ଜେରା କରିବା ପରେ ପୁଲିସ କାର୍ତିକର ସହଯୋଗୀ ଆଦିତ୍ୟକୁ ଗିରଫ କରିବା ସହ ୪ଟି ସୁନା ଚେନ୍, ୩ଟି ସୁନାର କାନଫୁଲ, ୩ଟି ମୁଦି, ଲାପଟପ୍, ଟାବଲେଟ୍, ୨କିଲୋ ଓଜନର କଏନ୍, ୮ଟି ମୋବାଇଲ୍ ଫୋନ୍, ଓଆର୍-୧୦ବି ୫୧୪୦ ନମ୍ବର ଥିବା ଏକ ସ୍କୁଟି, ଗୋଟିଏ ଗିଅର୍ ବାଇସାଇକଲ ବ୍ୟତୀତ ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ମାରଣାସ୍ତ୍ର ଜବତ କରିଥିବା ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଇନ୍ସପେକ୍ଟର ଶଙ୍କର ମାଝୀ, ସବଇନ୍ସପେକ୍ଟର ସୁଦର୍ଶନ ଅଧିକାରୀ ଓ ଚିତ୍ତରଞ୍ଜନ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।