ପୋଲ ଭୁସୁଡ଼ିବା ଘଟଣାରେ ଯନ୍ତ୍ରୀ ଗିରଫ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ନାଗି ନଦୀର ତାଲାପଦରଠାରେ ନିର୍ମାଣାଧୀନ ପୋଲ ଭୁସୁଡ଼ିବା ଘଟଣାରେ ଜଣେ ଯନ୍ତ୍ରୀ ଗିରଫ ହୋଇଥିବା ବେଳେ ଅନ୍ୟଜଣେ ଯନ୍ତ୍ରୀ ଓ ଠିକାଦାର ଫେରାର ଅଛନ୍ତି। ଜେ.ଇ. ଅସୀତ ପାତ୍ର ଗିରଫ ହୋଇଥିବାବେଳେ ଏସଡିଓ ନିରଞ୍ଜନ ସାହୁ ଓ ଠିକାଦାର ଆଶିଷ ବିଶ୍ୱାଳ ଫେରାର ଅଛନ୍ତି। ଏନେଇ ଏସଡିପିଓ ହେମନ୍ତ ପାଢ଼ୀ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ତାଲାପଦରଠାରେ ନିର୍ମାଣ ହେଇଥିବା ପୋଲର ୩ୟ ସ୍ଲାବ୍ର ନିର୍ମାଣ ଶେଷ ପର୍ଯ୍ୟାୟରେ ଥିବାବେଳେ ହଠାତ୍ ତାହା ଭୁଷୁୁଡ଼ି ପଡ଼ିଥିଲା। ଫଳରେ ଜଣକର ମୃତ୍ୟୁ ଘଟିବା ସହ ୩ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ। ଏହାକୁ କେନ୍ଦ୍ର କରି ଗ୍ରାମ୍ୟ ଉନ୍ନୟନ ପକ୍ଷରୁ ଉମରକୋଟ ଥାନାରେ ଏତଲା ଦିଆଯାଇଥିଲା। ଘଟଣାସ୍ଥଳକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସୁପରିଟେଣ୍ଡେଣ୍ଟ ଅଫ୍ ଇଞ୍ଜିନିୟର ପ୍ରଦୀପ ଜେନା, ଜିଲ୍ଲାପାଳ ଡା. ଅଜିତ ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଗସ୍ତ କରି ତଦନ୍ତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ସଚିବ କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ନିର୍ଦ୍ଦେଶ ଦେବା ସହ ସ୍ଥାନୀୟ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ ଏପ୍ରିଲରୁ ପୋଲ କାର୍ଯ୍ୟାରମ୍ଭ ହୋଇ ୨୦୧୯ ମାର୍ଚ୍ଚରେ ସରିବା କଥା। କିନ୍ତୁ ପୋଲ ନିର୍ମାଣ ଧିମା ଗତିରେ ଚାଲୁଥିଲା। ୨କୋଟି ୪୧ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ଚାଲିଥିବା ସେତୁ ୬ଟି ଗ୍ରାମକୁ ସଂଯୋଗ କରିଥାଆନ୍ତା।