ପୁଲିସର ନାକ ତଳୁ ଦିନକରେ ୪ଟି ସ୍ଥାନରୁ ଚୋରୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସହରର ୪ଟି ସ୍ଥାନରୁ ଗତକାଲି ରାତିରେ ଚୋରୀ ହୋଇଥିବା ଜଣାପଡ଼ିଛି। ସହରର ବାଲିମେଳା ଛକର ୬୦ ମିଟର ମଧ୍ୟରେ ୩ଟି ଦୋକାନ ଓ ୨ଟି ଗୋଦାମରୁ ଚୋରୀ ହୋଇଥିବା ଜଣାପଡ଼ିଛି। ସବୁଠୁ ଆଶ୍ଚର୍ଯ୍ୟକର କଥାଟି ହେଲା, ବାଲିମେଳା ଛକସ୍ଥିତ ଶ୍ରୀ ତାରାତାରିଣୀ ଏଣ୍ଟରପ୍ରାଇଜେସ ସମ୍ମୁଖରେ ପୁଲିସର କଡ଼ା ପ୍ରହରା ସତ୍ୱେ ଚୋରୀ ହେବା ସବୁଠାରୁ ବଡ଼ ପ୍ରଶ୍ଚବାଚୀ ସୃଷ୍ଟି କରିଛି। ଚୋରମାନେ ଏହି ଦୋକାନର ଉପର ମହଲାରୁ ଚାବି ଭାଙ୍ଗି ଭିତରେ ପ୍ରବେଶ କରିଥିବା ଜଣାପଡ଼ିଛି। ଦୋକାନର ଡ୍ରୋ, ଆଲମାରୀ ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ନଗଦ ସହ ଲକ୍ଷାଧିକ ଟଙ୍କାର ୨ ଚକିଆ ଯାନ ଓ ଲୁର୍ବିକେଣ୍ଟ ସାମଗ୍ରୀ ଚୋରୀ କରିଥିବା ଜଣାପଡ଼ିଛି। ସେହିଭଳି ଏହି ଦୋକାନ ପାଖରେ ଥିବା ଜଗନ୍ନାଥ ପାଳ ହାଡୱେରରୁ ମଧ୍ୟ ଲକ୍ଷାଧିକ ଟଙ୍କାର ଲୁହା ସାମଗ୍ରୀ ଚୋରୀ ହୋଇଥିବା ଅନୁମାନ କରାଯାଉଛି। ଏଠାରୁ ୪୦ ମିଟର ଦୂରରେ ଥିବା ଚକାଡୋଳା ଷ୍ଟୋରରୁ ବହୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଚୋରୀ ହୋଇଛି। ଏହି ଦୋକାନର ସିସିଟିଭିରୁ ୨ଜଣ ଚୋର ସଂପୃକ୍ତ ଥିବା ସ୍ୱଷ୍ଟଭାବେ ଜଣାପଡ଼ୁଛି। ଏହାର କିଛି ଦୂରରେ ଚନ୍ଦ୍ରରାଓ ଜେନେରାଲ ଷ୍ଟୋର ଓ ରଘୁନାଥ ଷ୍ଟୋର ଗୋଦାମରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ମାଲିକମାନେ ପ୍ରକାଶ କରିଛନ୍ତି। ତେବେ ଗତ କିଛି ମାସ ହେଲା ସହରର ଷ୍ଟ୍ରିଟ ଲାଇଟ ବନ୍ଦ ରହୁଥିବାରୁ ଏହାର ସୁବିଧା ନେଇ ଚୋରୀ ହେଉଥିବା ଅଭିଯୋଗ ହୋଇଛି। ମାଲକାନଗିରି ଆଦର୍ଶ ଥାନାରେ ଏନେଇ ୫ଟି ମାମଲା ରୁଜୁ କରାଯାଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।