ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ଅଭିଭାଷଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଓଡିଶାରେ ଦୀର୍ଘ ସମୟ ରାଜନୈତିକ ଲଢେଇ ପରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି ସପକ୍ଷରେ ପଡିଛି। ୩୩ଟି ଅନୁସୂଚିତ ଜାତି ଓ ଜନଜାତିର ବିଧାନସଭା ଆସନରୁ ୧୧ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୧ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ରେ ଏହା ବୃଦ୍ଧି ହୋଇ ୩୮ ପ୍ରତିଶତ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୮ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ରେ ଏହା ୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଆମେ ୫୦ ପ୍ରତିଶତ ଭୋଟ ହାସଲ କରି ଓଡିଶାରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ନେବା ବୋଲି ଶ୍ରୀ ନଡ୍ଡା କହିଛନ୍ତି।

କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲକଡାଉନ ଓ ଜନତା କର୍ଫ୍ୟୁ’ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସମଗ୍ର ବିଶ୍ୱ ଓ ୟୁନିସେଫ ଭୂୟସୀ ପ୍ରଶଂସା କରିଛନ୍ତି। କରୋନାରୁ ଏବେ ଦେଶରେ ୭୪.୩୦ ପ୍ରତିଶତ ରୋଗୀ ସୁସ୍ଥ ହେଉଛନ୍ତି। ଏହା ନିଶ୍ଚିତ ଭାବେ ଆଶ୍ୱସ୍ତ ପ୍ରଦାନ କରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଏଥିସହିତ ଜାତୀୟ ଶିକ୍ଷାନୀତି -୨୦୨୦ ଭାରତର ଭାଗ୍ୟ ବଦଳାଇଦେବ ବୋଲି କହିଛନ୍ତି। କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଗରିବ ଲୋକଙ୍କୁ ମାର୍ଚ୍ଚ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ୫ କିଲୋ ଚାଉଳ କିମ୍ବା ଗହମ ଏବଂ ପ୍ରତି ପରିବାରକୁ ୧ କିଲୋ ଡାଲି ଯୋଗାଇ ଦେବାର ବ୍ୟବସ୍ଥା, ୮ କୋଟି ମହିଳାଙ୍କୁ ମାଗଣା ଗ୍ୟାସ ଯୋଗାଇ ଦିଆଯିବା, ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା, ୨୦ କୋଟି ମହିଳାଙ୍କୁ ଜନ ଧନ ଯୋଜନାରେ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ପ୍ରଭୃତି ଯୋଜନା ସମ୍ପର୍କରେ ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ସେହିପରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରି ଭ୍ରମ ଧାରଣା ସୃଷ୍ଟି କରିବାରୁ ନିବୃତ୍ତ ହୁଅନ୍ତୁ ଓ ରାଜ୍ୟବାସୀଙ୍କ ହିତ ପାଇଁ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାନ୍ତୁ ବୋଲି ଶ୍ରୀ ନଡ୍ଡା ତାଙ୍କ ଅଭିଭାଷଣରେ କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ ନିଜ ଉପରେ ଏବଂ ନିଜ କର୍ତ୍ତବ୍ୟ, ଯୋଗ୍ୟତା ଉପରେ ବିଶ୍ୱାସ ରଖି କାର୍ଯ୍ୟକର୍ତ୍ତାମାନେ ନିଜକୁ ପରିପକ୍ୱ କରିବା ଆବଶ୍ୟକ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଋଣନୀତି ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ ଶ୍ରୀ ନଡ୍ଡା ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଦିଲ୍ଲୀରୁ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ(ସଂଗଠନ) ସୌଦାନ ସିଂହ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ଓଡିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ୍ ପାତ୍ର, ଭୁବନେଶ୍ୱର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।