ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଓଡିଶାରେ ଦୀର୍ଘ ସମୟ ରାଜନୈତିକ ଲଢେଇ ପରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି ସପକ୍ଷରେ ପଡିଛି। ୩୩ଟି ଅନୁସୂଚିତ ଜାତି ଓ ଜନଜାତିର ବିଧାନସଭା ଆସନରୁ ୧୧ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୧ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ରେ ଏହା ବୃଦ୍ଧି ହୋଇ ୩୮ ପ୍ରତିଶତ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୮ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ରେ ଏହା ୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଆମେ ୫୦ ପ୍ରତିଶତ ଭୋଟ ହାସଲ କରି ଓଡିଶାରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ନେବା ବୋଲି ଶ୍ରୀ ନଡ୍ଡା କହିଛନ୍ତି।
