ଶାନ୍ତିପୁର ଡକାୟତି ଘଟଣା: ୪୬ ଗ୍ରାମ ସୁନା ସମେତ ଆଉ ୨ ଜଣ ଗିରଫ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅନ୍ତର୍ଗତ ଶାନ୍ତିପୁର ଗ୍ରାମରେ ଘଟିଥିବା ଡକାୟତି ଘଟଣାରେ ଆଜି ବଲାଙ୍ଗିର ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ପାଖରୁ ପ୍ରାୟ ୪୬ ଗ୍ରାମ ସୁନା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲାର କାଳିଆ ସୁବୁଦ୍ଧି (୪୮) ଓ କଟକ ଜିଲ୍ଲାର ସଚିନ ଲିଗଡ଼େ(୩୦)। ଘଟଣାର ତଦନ୍ତ ସମୟରେ ଲୁଟ ସୁନାକୁ କାଳିଆ କଟକର ସୁନା ବ୍ୟବସାୟୀ ସଚିନକୁ ବିକ୍ରି କରିଥିବା ଜଣାପଡିଛି। ପୁଲିସ ଉଭୟଙ୍କୁ ଗିରଫ କରିବା ସହିତ ୪୬ ଗ୍ରାମର ସୁନା ଅଳଙ୍କାର ଜବତ କରିଛି।

ଗତ ଜାନୁଆରୀ ୨୩ ତାରିଖରେ ଖପ୍ରାଖୋଲ ଅନ୍ତର୍ଗତ ଶାନ୍ତିପୁର ଠାରେ ଏକ ବଡ ଧରଣର ଡକାୟତି ଘଟିଥିଲା। ଯେଉଁଥିରେ ପ୍ରାୟ ୨୦ ଜଣ ସାମିଲ ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହି ଘଟଣାର ଛାନଭିନ କରୁକରୁ ପୁଲିସ ହାତରେ ଏକ ଆନ୍ତଃ ଜିଲ୍ଲା ଡକାୟତି ର‌୍ୟାକେଟ ଧରାପଡିଥିଲା। ପ୍ରଥମେ ୬ ଫେବୃଆରୀରେ ପୁଲିସ ଉକ୍ତ ଘଟଣାରେ ୭ ଜଣଙ୍କୁ ଗିରଫ କରିଥିଲା। ପରେ ଫେବୃଆରୀ ୭ ଓ ୯ ତାରିଖରେ ଆଉ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ଘଟଣାରେ ବ୍ୟବହୃତ ଗାଡି, ମାରଣାସ୍ତ୍ର ଜବତ କରିଥିଲା।