ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ଏସପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବରଗଡ଼,ଏନ୍ଏନ୍ଏସ୍: ଭଟଲି ଥାନା ଟୁକୁର୍ଲାରେ ଜନୈକ ମହିଳାଙ୍କୁ ଗାଁର ଜଣେ ଯୁବକ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅପରପକ୍ଷେ ଭଟଲି ପୋଲିସ ଏନେଇ କୌଣସି ପଦକ୍ଷେପ ନେଉଥିବା ଅଭିଯୋଗ କରି ଗ୍ରାମର ବହୁ ମହିଳା ବରଗଡ଼ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ଗତ ୪ ତାରିଖରେ ଟୁକ୍ୁର୍ଲା ଗ୍ରାମରେ ୫ ଟି ଶବ ଦାହ କରାଯାଇଥିଲା । ଏହାକୁ ଗ୍ରାମବାସୀ ବିରୋଧ କରିଥିବାବେଳେ ସଂପୃକ୍ତ ମହିଳା ମଧ୍ୟ ସେଥିରେ ସାମିଲ ଥିଲେ । ଗାଁର ଜଣେ ଯୁବକ ଉକ୍ତ ମହିଳାଙ୍କ ଶାଢ଼ୀ ଟଣାଓଟରା କରିବା ସହ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ କରିଥିଲେ। ଏ ନେଇ ଭଟଲି ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋଲିସ କୌଣସି ପଦକ୍ଷେପ ନେଉ ନାହାନ୍ତି । ଫଳରେ ଟୁକୁର୍ଲା ଗ୍ରାମର ବହୁ ମହିଳାଙ୍କ ସମେତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଦସ୍ୟମାନେ ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ।