ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କଲା ଆମେରିକା

ୱାଶିଂଟନ,ଏଜେନ୍ସି: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଛି ଆମେରିକା। କୋରୋନା ଭୂତାଣୁ ସହ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ନିଜର ସବୁ ସମ୍ପର୍କ ଶେଷ କରି ଦେଇଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଏହି ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ପୂର୍ଣ୍ଣ ଭାବେ ଚୀନକୁ ସମର୍ଥନ କରିବା ସହିତ ଅନ୍ୟ ଦେଶମାନଙ୍କ ମଧ୍ୟରେ ପାତରଅନ୍ତର ନୀତି ଆପୋଣେଇଛି। ଏଥି ପାଇଁ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସମ୍ପର୍କ ଶେଷ କରୁଛି ବୋଲି କହିଛନ୍ତି।

ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସର ପ୍ରାଥମିକ ପର୍ଯ୍ୟାୟକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା। କରୋନା ଭାଇରସ ମହାମାରୀକୁ ନେଇ ଟ୍ରମ୍ପ ପୂର୍ବରୁ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅନେକ ଥର ଟାର୍ଗେଟ କରିଛନ୍ତି।

ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନକୁ ବିଶ୍ୱରେ କରୋନା ଜନିତ ମୃତ୍ୟୁ ପାଇଁ ଦାୟି କରିଛନ୍ତି। ସେ କହିଛନ୍ତି, ବାର୍ଷିକ ମାତ୍ର ୪ କୋଟି ଡଲାର ସହଯୋଗ କରୁଥିବା ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନିଜର ନିୟନ୍ତ୍ରଣରେ ରଖିଛି। ଅନ୍ୟପକ୍ଷରେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ବାର୍ଷିକ ୪୫ କୋଟି ଡଲାର ଦେଉଥିଲା। ତେବେ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରି ଡବ୍ଲଏଚ୍‌ଓ ସହ ସମସ୍ତ ସମ୍ପର୍କ ଶେଷ କରିଛନ୍ତି।