‘ମିଶନ ଶକ୍ତି’କୁ ନେଇ ରାଜନୀତି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟ ସରକାର ଶନିବାର ଏସଏଚଜି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ‘ମିଶନ ଶକ୍ତି’କୁ ଏକ ନୂଆ ବିଭାଗ କରାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଛନ୍ତି। ୨୦୧୭ରୁ ଗଠନ ହୋଇଥିବା ସ୍ୱତନ୍ତ୍ର ମିଶନ ଶକ୍ତି ନିର୍ଦ୍ଦେଶାଳୟ ଏହା ଅଧିନରେ ରହିବ। ତେବେ ସରକରାଙ୍କ ଏହି ପଦକ୍ଷେପକୁ ନେଇ ପ୍ରଶ୍ନବାଚୀ ଛିଡ଼ା କରିବା ସହ ଅଲଗା ଦିଶା ନିର୍ଦ୍ଦେଶ କରିଛନ୍ତି ବିରୋଧୀଦଳ ବିଜେପି ଏବଂ କଂଗ୍ରେସ।
ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ୨୦୦୧ ମାର୍ଚ୍ଚ ୮ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସେତେବେଳେ ଚିନ୍ତା କରାଯାଇଥିଲା ଯେ କିଭଳି ମହିଳାଙ୍କୁ କାମ ମିଳିବ ଏବଂ ସେମାନଙ୍କ ମାସିକ ଆୟ କିପରି ବୃଦ୍ଧିହେବ। ହେଲେ ଇତିମଧ୍ୟରେ ୨୦ ବର୍ଷ ବିତିଯାଇଥିଲେ ହେଁ ସେହି ବଡ଼ି, ପାମ୍ପଡ଼, ଆଚାରରେ କାମ ରହିଯାଇଛି। ବିଭିନ୍ନ ସ୍ଥାନକୁ ଗଲେ ମହିଳାମାନେ ଅଭିଯୋଗ କରୁଛନ୍ତି ଯେ ସେମାନଙ୍କୁ କାମ ମିଳୁନି। ଏପରିକି ରାଜ୍ୟର ମହିଳାଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ରକ୍ଷା ନେଇ ସମସ୍ୟା ଦେଖାଦେଇଛି। ଏନସିଆରବି ତଥ୍ୟ ଅନୁଯାୟୀ ନାରୀ ନିର୍ଯାତନାରେ ଓଡ଼ିଶା ଶୀର୍ଷରେ। ହେଲେ ମହିଳାଙ୍କ ସଶକ୍ତୀକରଣ କଥା କହୁଥିବା ସରକାରଙ୍କ ମୁଣ୍ଡରେ ଏବେ ମିଶନ ଶକ୍ତିକୁ ନୂଆ ବିଭାଗ କରାଇବା କଥା ଜୁଟିଲା। ୨୦୦୧ କିମ୍ବା ୨୦୦୨ରେ ବି ସମାନ ପଦକ୍ଷେପ ନିଆଯାଇପାରିଥାନ୍ତା। ୨୦ ବର୍ଷ ଲାଗିଗଲା ଏହି କାମ କରିବାକୁ? ଏହା କ’ଣ ମହିଳା ସଶକ୍ତୀକରଣ ଦିଗରେ ତାଙ୍କର ପ୍ରକୃତ ଅଭିବ୍ୟକ୍ତି? ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।
ସେହିଭଳି ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ମହିଳାଙ୍କ ପାଇଁ ସେପରି କିଛି ଆଖିଦୃଶିଆ କାମ କରିବା ଲାଗି ସରକାରଙ୍କ ଆନ୍ତରିକତା ନାହିଁ। କେବଳ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏକ ପ୍ରକାର କହିବାକୁ ଗଲେ ନାରୀଙ୍କ ନାଁରେ ପାରି ହେବାପାଇଁ ବସିଛନ୍ତି।
ଏପଟେ ଦୁଇ ଦଳକୁ କାଉଣ୍ଟର୍ କରି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ ମହିଳାଙ୍କ ବିକାଶ ବିରୋଧୀଙ୍କୁ ଦେଖାଯାଉନି, ମହିଳାଙ୍କ ଭୋଟ୍ ଦେଖାଯାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ୮୦ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ୍ ହୋଇ ସଶକ୍ତ ହେବା ଏବଂ ରାଜ୍ୟର ବିକାଶରେ ଆଗ ଧାଡ଼ିର ଭୂମିକା ନେବାର ଦୃଷ୍ଟାନ୍ତ କେବେ ଦେଖିବାକୁ ମିଳିନଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ମହିଳାଙ୍କ ଏକ ଜନଜାଗରଣ ହୋଇପାରିଛି। ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ଥିବାରୁ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦିଆଯାଇଛି। ସରକାର ଯେମିତି ବଜେଟ୍ ଆଣୁଥିବା ବେଳେ କୃଷିକୁ ଗୁରୁତ୍ୱ ଦେଇ ଅଲଗା କୃଷି ବଜେଟ୍ ଆଣୁଛନ୍ତି, କୃଷି କ୍ୟାବିନେଟ୍ କରିଛନ୍ତି ସେହିଭଳି ଏହି ପଦକ୍ଷେପ।