ନୂଆଦିଲ୍ଲୀ: କରୋନା ସହ ଜଡ଼ିତ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ନୂଆ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୫୫ ହଜାର ୩୪୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୭୦୬ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ କଥା କହିବାକୁ ଗଲେ ଏହି ସଂଖ୍ୟା ଗତ ଦୁଇ ମାସରେ ସର୍ବନିମ୍ନ ରହିଛି। କାରଣ ଏହା ପୂର୍ବରୁ ପ୍ରତିଦିନ ୭୦ରୁ ୮୦ ହଜାର କରୋନାରେ ସଂକ୍ରମିତ ହେଉଥିଲେ । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁରେ ନୂଆ ଆକ୍ରାନ୍ତ, ମୃତ୍ୟୁ ହାର ଓ ସୁସ୍ଥ ହାର ସର୍ବାଧିକ ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ଲକ୍ଷ ୭୫ ହଜାର ହୋଇଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୯ ହଜାର ୮୫୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୬୨ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ଓ ୮ଲକ୍ଷ ୩୮ ହଜାର ୭୨୯ ଜଣ ଚିକିତ୍ସିତ ହେଉଛନ୍ତି। ସକ୍ରିୟ ସଂକ୍ରମଣ ତୁଳନାରେ ସୁସ୍ଥ ହାର ୬ ଗୁଣା ଅଧିକ ରହିଛି। ଲଗାତାର ୩ ସପ୍ତାହ ହେବ ନୂଆ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥହାର ଅଧିକ ରହିଥିବା ସୂଚନା ମିଳିଛି।