ଶାହଙ୍କୁ ଭେଟିଲେ ‘ଦି କଶ୍ମୀର ଫାଇଲ୍ସ’ର ପୁରା ଟିମ୍‌

ନୂଆଦିଲ୍ଲୀ: ସମଗ୍ର ଦେଶରେ ‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇତିମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁରା ଟିମ୍ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏହି ସମୟରେ ଶାହ ଫିଲ୍ମର ଖୁବ୍ ପ୍ରଶଂସା କରିଛନ୍ତି । ଶାହ କହିଛନ୍ତି ଯେ, ଏହି ଫିଲ୍ମ କଶ୍ମୀର ପଣ୍ଡିତଙ୍କ ବଳିଦାନର କାହାଣୀ । କଶ୍ମୀର ପଣ୍ଡିତଙ୍କ ଅସହନୀୟ ପୀଡ଼ା ଏହି ଫିଲ୍ମ ମାଧ୍ୟମରେ ଦୁନିଆ ସାମ୍ନାକୁ ଆସିଛି । ଏମିତି ଭୁଲ ଭବିଷ୍ୟତରେ ଯେମିତି ନହୁଏ ସେଥିପାଇଁ ଫିଲ୍ମଟି ସମାଜ ଓ ଦେଶକୁ ଜାଗୃତ କରିବାର କାମ କରିବ ।

‘ଦି କଶ୍ମୀର ଫାଇଲ୍ସ’ର ଟିମକୁ ଭେଟିବା ପରେ ଶାହ ଟ୍ୱିଟ୍ କରିଛନ୍ତି । ଶାହ ଲେଖିଛନ୍ତି ଯେ, ନିଜ ଦେଶରେ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଥିବା କଶ୍ମୀର ପଣ୍ଡିତଙ୍କ ବଳିଦାନ, ଅସହନୀୟ ପୀଡ଼ା ଓ ସଂଘର୍ଷର ସତ୍ୟତା ଏହି ଫିଲ୍ମ ମାଧ୍ୟମରେ ଦୁନିଆ ସାମ୍ନାକୁ ଆସିଛି ଯାହାକି ଏକ ପ୍ରଶଂସନୀୟ ପ୍ରୟାସ । କଶ୍ମୀର ଫାଇଲ୍ସ ସତ୍ୟର ଏକ ନିର୍ଭୀକ ନିରୂପଣ । ଏହି ଫିଲ୍ମ ପ୍ରସ୍ତୁତ କରିଥିବାରୁ ପୁରା ଟିମକୁ ଶୁଭକାମନା ଜଣାଉଛି ।