ମୁମ୍ବାଇ,ଏଜେନ୍ସି: କାଶ୍ମୀରୀ ପଣ୍ଡିତମାନଙ୍କ ଯନ୍ତ୍ରଣାର କାହାଣି ‘ଦି କାଶ୍ମୀର ଫାଇଲ’ ଏବେ ବକ୍ସ ଅଫିସରେ ଧମାଲ କରୁଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ତଥା ନିର୍ମିତ ଏହି ଚଳଚ୍ଚିତ୍ରରେ କାଶ୍ମୀରୀ ପଣ୍ଡିତଙ୍କ ଦୁଖଃଭରା କାହାଣୀ ଦର୍ଶକଙ୍କ ଆଖିରେ ଲୁହ ଆଣି ଦେଇଛି। ଏହି ଫିଲ୍ମ ରିଲିଜ ହେବାର ପଞ୍ଚମ ଦିନରେ ୫୦ କୋଟି କ୍ଲବ୍ ପାର କରିଛି। ପଞ୍ଚମ ଦିନରେ ୧୮ କୋଟି ଟଙ୍କା ଆୟ କରିବା ସହିତ ଏହି ଫିଲ୍ମ ଏପର୍ଯ୍ୟନ୍ତ ୬୦.୨୦ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି।
ରିଲିଜ ହେବାର ପ୍ରଥମ ଦିନରେ ୩.୫୫ କୋଟି ଟଙ୍କା ସଂଗ୍ରହ କରିଥିବା ଏହି ଫିଲ୍ମରେ ଦ୍ୱିତୀୟ ଦିନରେ ବୃଦ୍ଧି ପାଇ ୮.୫୦ କୋଟି ଟଙ୍କା ଆୟ ହୋଇଛି। ଏହି ଚଳଚ୍ଚିତ୍ରଟି ରବିବାର ଏବଂ ସୋମବାରରେ ଅଧିକ ସଂଖ୍ୟାରେ ଆୟ କରିଛି, ଯଥାକ୍ରମେ ୧୫.୧୦ କୋଟି ଏବଂ ୧୫.୦୫ କୋଟି ଟଙ୍କା। ମଙ୍ଗଳବାର ଦିନ ଏହି ଚଳଚ୍ଚିତ୍ରଟି ୧୮ କୋଟି ଟଙ୍କା ରୋଜଗାର କରି ଏହାର ମୋଟ ୬୦.୨୦ କୋଟି ସଂଗ୍ରହ କରିସାରିଲାଣି।
ଏହି ଫିଲ୍ମକୁ ପ୍ରଦାନମନ୍ତ୍ରୀଙ୍କ ସମେତ ବହୁ ରାଜ୍ୟ ସରକାର ମଧ୍ୟ ପ୍ରଶଂସା କରୁନ୍ତି। ଏପରିକି ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ତ୍ରିପୁରା, ଗୋଆ, ହରିୟାଣା ଭଳି ରାଜ୍ୟ ଏହି ଫିଲ୍ମଟିକୁ ଟିକସ୍ ଛାଡ଼ କରିଛନ୍ତି। ଏହି ଫିଲ୍ମଟି ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି। ‘ଦି କାଶ୍ମୀର ଫାଇଲ’ ଫିଲ୍ମରେ ଅନୁପମ ଖେର୍, ପଲ୍ଲବି ଯୋଶୀ, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ପ୍ରମୁଖ କଳାକାର ଅଭିନୟ କରିଛନ୍ତି।