ଯୋଡା,ଏନ୍ଏନ୍ଏସ୍: ପୁଣି ଚିନ୍ତା ବଢାଇଲା ଗୋଷ୍ଠୀ ସଂଘର୍ଷ। ଦୁଇ ଦଳ ଭିତରେ ଗଣ୍ଡଗୋଳ ଏତେ ବଢିଥିଲା ଯେ, ପ୍ରଶାସନ ଶେଷରେ ଏଠି ୧୪୪ ଧାରା ଲାଗୁ କରିବା ପାଇଁ ବାଧ୍ୟ ହୋଇଛି। ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ଏମିତି ଏକ ପଦକ୍ଷେପ ନେଇଛି ପ୍ରଶାସନ। ଯୋଡା ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଛି। ଯାହା ଫଳରେ ପ୍ରଶାସନ ଏଠାରେ ୧୪୪ ଧାରା ଲାଗୁ କରିଛି। ଏହାପରେ ମାମଲାକୁ ବୁଝାସୁଝା କରି ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରୁଛି ପୁଲିସ।
ରବିବାର ଥିଲା ରାମନବମୀ। ସେଥିପାଇଁ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଯୋଗ ଦେଇଥିବା ଲୋକମାନେ ଝଣ୍ଡା ଧରି ୪ ନମ୍ୱର ୱାର୍ଡରେ ଥିବା ଶିବ ମନ୍ଦିରକୁ ଯିବା ପାଇଁ ଚାହୁଁଥିଲେ। କିନ୍ତୁ ପୁଲିସ୍ ଯିବାକୁ ଅନୁମତି ଦେଇନଥିଲା। ଆଜି ସକାଳେ ପୁଣି ଥରେ ୫ ଜଣ ଯୁବକ ଝଣ୍ଡା ଧରି ମନ୍ଦିରକୁ ଯିବାକୁ ବାହାରିଥିଲେ।ପୁଲିସ ସେମାନଙ୍କୁ ବାରଣ କରିଥିଲା। ଯାହାଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପରେ ଉତ୍ତ୍ୟକ୍ତ ଲୋକମାନେ ଷ୍ଟେଟ୍ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସି ଥିଲେ। ଅପରାହ୍ନରେ ପୁଣି ଥରେ ଝଣ୍ଡା ଧରି ସେମାନେ ମନ୍ଦିରକୁ ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ। ଉଭୟଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା।