ଇବ ନଦୀରୁ ଉଦ୍ଧାର ହେଲା ହାଇୱା

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ରମ୍ପେଲା ସେତୁରୁ ଇବ ନଦୀକୁ ମଙ୍ଗଳବାର ଖସି ପଡିଥିବା ହାଇୱା ଟ୍ରକକୁ ଆଜି ନଦୀ ଭିତରୁ ବାହାର କରାଯାଇଛି। ଏହାପରେ ଟ୍ରକଟିକୁ ବନହରପାଲି ଥାନାକୁ ଅଣାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ ମେହେର ସୂଚନା ଦେଇଛନ୍ତି। ଟ୍ରକ ଦୂର୍ଘଟଣାରେ ପ୍ରାଣ ହରାଇଥିବା ୨ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ପ୍ରକାଶ ଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ଣରେ ସମ୍ବଲପୁର ରେଙ୍ଗାଲି ପଟୁ ଥର୍ମଲକୁ ଆସୁଥିବା ଏକ ହାଇୱା ଟ୍ରକ ରମ୍ପେଲା ସେତୁ ମଝିରେ ଭାରସାମ୍ୟ ହରାଇ ନଦୀକୁ ଖସି ପଡିଥିଲା। ଫଳରେ ଟ୍ରକ ଭିତରେ ଥିବା ବରକାନିପାଲି ଗ୍ରାମର ଆଶୁତୋଷ ସାହୁ(୨୪)ଗୁରୁତର ଆହତ ହୋଇଥିଲେ ଏବଂ ଯତିନ ପଧାନ(୨୩) ଓ ପପୁ ଓରଫ ଅରବିନ୍ଦ ସାହୁ(୧୯) ପ୍ରାଣ ହରାଇଥିଲେ।