ଶପଥ ନେଲେ ଦୁଇ ସୂଚନା କମିଶନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସୂଚନା କମିଶନର ଭାବେ ବିକ୍ରମ ସେନାପତି ଓ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ବିଶୋୟୀ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୂଚନା କମିଶନର ଦ୍ୱୟଙ୍କୁ ଶପଥପାଠ କରାଇଛନ୍ତି।
ବୁଧବାର ଅପରାହ୍ଣରେ ରାଜଭବନ ଅଭିଷେକ୍ ହଲରେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସୂଚନା କମିଶନରଙ୍କ ନିଯୁକ୍ତି ସମ୍ପର୍କିତ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ପାଠ କରିବା ପରେ ରାଜ୍ୟପାଳ ନୂତନ କମିଶନର ଦ୍ୱୟଙ୍କୁ ଶପଥ ପାଠ କରାଇଥିଲେ।
ଏହି ଶପଥଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ସୁନିଲ ମିଶ୍ର, ରାଜ୍ୟ ସୂଚନା କମିଶନର ବାଳକୃଷ୍ଣ ମହାପାତ୍ର, ରାଜ୍ୟପାଳଙ୍କ ସଚିବ ଡ. ପ୍ରମୋଦ ମେହେର୍ଦ୍ଦା, ରାଜ୍ୟପାଳଙ୍କ ଅତିରିକ୍ତ ସଚିବ ଚିତ୍ତରଞ୍ଜନ ମହାନ୍ତି ଏବଂ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ଅନ୍ୟାନ୍ୟ ବିଶିଷ୍ଟ ଅତିଥିବୃନ୍ଦ, ରାଜ୍ୟପାଳଙ୍କ ସଚିବାଳୟ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।