ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସମୟରେ କରୋନା ଯୋଦ୍ଧା ସାଜି କ୍ୱାରେଣ୍ଟାଇନ ସେଣ୍ଟରରେ ଜଗିଥିବା ସୁରକ୍ଷାକର୍ମୀଙ୍କୁ ଜିଆଇଏସଏସ ସିକ୍ୟୁରିଟି ସର୍ଭିସ ସଂସ୍ଥା ଦରମା ଦେଇ ନଥିବା ଅଭିଯୋଗ ହୋଇଛି। ଏନେଇ ଆଜି ସୁରକ୍ଷାକର୍ମୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଆଇଏସଏସ ସିକ୍ୟୁରିଟି ସର୍ଭିସ ପକ୍ଷରୁ ମଇ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ସେଣ୍ଟର ଜଗିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ହେଲେ କମ୍ପାନୀ ଜୁଲାଇ ମାସର ଶେଷ ୫ ଦିନ ଓ ଅଗଷ୍ଟ ମାସର ସମ୍ପୂର୍ଣ୍ଣ ଦରମା ଦେଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହିତ ସୁରକ୍ଷାକର୍ମୀଙ୍କ ଇପିଏଫ ଓ ଇଏସଆଇ ଟଙ୍କା ମଧ୍ୟ ପ୍ରଦାନ କରିନାହିଁ । ଫଳରେ ଜୀବନକୁ ବାଜି ଲଗାଇ କ୍ୱାରେଣ୍ଟାଇନ ସେଣ୍ଟର ଜଗିଥିବା ସୁରକ୍ଷାକର୍ମୀମାନେ ଦରମା ନପାଇ ହଇରାଣ ହେଉଛନ୍ତି।
ଅନ୍ୟପଟେ ଝାରସୁଗୁଡ଼ାରେ ଜିଆଇଏସଏସ ସିକ୍ୟୁରିଟି ସର୍ଭିସରେ କାର୍ଯ୍ୟ କରୁଥିବା ଇନ୍ଚାର୍ଜ ଫୋନ ଉଠାଉ ନାହାନ୍ତି। ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ ସେଣ୍ଟର ଜଗିଥିବା ନିରୀହ ଗରିବ ପିଲାମାନେ ପରିଶ୍ରମ କରିଥିଲେ ସୁଦ୍ଧା ପ୍ରାପ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଶୀଘ୍ର ସେମାନଙ୍କ ଦରମା କିପରି ମିଳିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସୁରକ୍ଷାକର୍ମୀମାନେ କହିଛନ୍ତି। ଏଥିସହିତ ଯଦି ଆଗାମୀ ୭ ଦିନ ମଧ୍ୟରେ ସେମାନଙ୍କୁ ଦରମା ପ୍ରଦାନ କରାନଯାଏ ତେବେ ଆମରଣ ଅନଶନ କରିବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି।