ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଓପିଟିସିଏଲ ଗ୍ରୀଡ ସବଷ୍ଟେସନରେ ଏକଜିକ୍ୟୁଟିଭ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ୮ ମାସ ହେଲା ଦରମା ପ୍ରଦାନ କରାନଯାଇ ଛଟେଇ କରାଯାଉଥିବା ଅଭିଯୋଗ ହୋଇଛି। ବାରମ୍ବାର କମ୍ପାନୀ କର୍ତୃପକ୍ଷ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନ କରିଛନ୍ତି। ଏକଜିକ୍ୟୁଟିଭ ସର୍ଭିସ ପ୍ରାଇଭେଟ ଲିମିଟେଡ୍ ଅଧୀନରେ କାମ କରୁଥିବା ୧୬୭ କର୍ମଚାରୀଙ୍କୁ ବିଗତ ୮ ମାସର ଦରମା କମ୍ପାନୀ ପ୍ରଦାନ କରିନାହିଁ ବୋଲି ସେମାନେ କହିଛନ୍ତି। ଏହାସହ ବୋନସ, ଏରିଅର, ଲିଭ ସେଲେରି ମଧ୍ୟ ମିଳିନାହିଁ। ଦରମା ମାଗିବାରୁ ସେମାନଙ୍କୁ କମ୍ପାନୀ ଛଟେଇ କରିଛି। କରୋନା କାଳରେ କର୍ମଚାରୀଙ୍କୁ ଦରମା ଦେବା ପାଇଁ ସମସ୍ତ କମ୍ପାନୀକୁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ଏକଜିକ୍ୟୁଟିଭ ସିକ୍ୟୁରିଟି ସର୍ଭିସ ଲକଡାଉନ ଆରମ୍ଭରୁ ଦରମା ଦେଇନାହିଁ। ଫଳରେ କାମ କରୁଥିବା କର୍ମଚାରୀମାନେ ବହୁ ଅସୁବିଧାରେ ଜୀବନଯାପନ କରୁଛନ୍ତି। ଅନ୍ୟପଟେ ଏକଜିକ୍ୟୁଟିଭ ସିକ୍ୟୁରିଟି ସର୍ଭିସ ସଂସ୍ଥାର ଟେଣ୍ଡର ଶେଷ ହେଉଥିବାରୁ ଏଠାରେ ସାରଳା ସିକ୍ୟୁରିଟି ସର୍ଭିସ ଯୋଗଦେଇ ନୂତନ ପିଲାଙ୍କୁ ନିୟୋଜିତ କରୁଛି। ଫଳରେ ଦୀର୍ଘ ୭-୮ ବର୍ଷ ଧରି ଗ୍ରୀଡରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କରୋନା ମହାମାରୀ ସମୟରେ ହଠାତ ଚାକିରିରୁ ବାହାର କରିଦେଲେ ସେମାନେ କିପରି ପରିବାର ପ୍ରତିପୋଷଣ କରିବେ। ତେଣୁ ସେମାନଙ୍କୁ ବକେୟା ୮ ମାସର ଦରମା ପ୍ରଦାନ କରାଯିବା ସହ ଗ୍ରୀଡରେ ପୁନଃନିଯୁକ୍ତି ପ୍ରଦାନ କରାଯାଉ ବୋଲି କର୍ମଚାରୀମାନେ ଦାବି କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ସେମାନଙ୍କ ଦରମା, ବୋନସ ଆଦି ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆମରଣ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ମଧ୍ୟ କହିଛନ୍ତି। ଏହି ରିଲେ ଅନଶନରେ ପଶ୍ଚିମ ଓଡିଶା ସିକ୍ୟୁରିଟି ୟୁନିୟନ ସଭାପତି ନିଳାମ୍ବର ଡନସନା, ଅଜିତ କୁମାର ନାୟକ, ସନ୍ତୋଷ ପାଣ୍ଡେ, ହରେଶ ପଟେଲ, ବଳଦେବ ମେହେର ପ୍ରମୁଖଙ୍କ ସହ ବହୁ ସୁରକ୍ଷାକର୍ମୀ ଉପସ୍ଥିତ ଥିଲ। ଏହି ରିଲେ ଅନଶନକୁ ବରିଷ୍ଠ ବିଜେପି ନେତା ଦିନେଶ ଜୈନ ସମର୍ଥନ କରିଥିଲେ।