୨୦୨୨ରେ ସାଧାରଣ ଲୋକଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ବର୍ଷ ପ୍ରାରମ୍ଭରେ ବଜାରକୁ କରୋନା ଟିକା ଆସିବ ବୋଲି ବିଭିନ୍ନ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଉଥିଲା ବେଳେ ଏ ସବୁ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ। ବିଶେଷକରି ସାଧାରଣ ଲୋକଙ୍କ ପାଇଁ କରୋନା ଟିକା ସହଜଲବ୍ଧ ହେବନାହିଁ। ୨୦୨୨ରେ ସାଧାରଣ ଲୋକଙ୍କୁ ଟିକା ଉପଲବ୍ଧ ହେବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। ଏକ ସାକ୍ଷାତକାରରେ ରଣଦୀପ ଗୁଲେରିଆ କହିଛନ୍ତି ଯେ, ସାଧାରଣ ଲୋକଙ୍କ ପାଇଁ ସହଜରେ ଟିକା ଉପଲବ୍ଧ ହେବା ପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗିବ। ଆମ ଦେଶରେ ଜନସଂଖ୍ୟା ବହୁତ ଅଧିକ। ଫ୍ଲୁ ଟିକା ପରି ବଜାରରୁ ଟିକା କିପରି କିଣାଯାଇପାରିବ ଏବଂ ଏହାକୁ ଗ୍ରହଣ କରାଯାଇପାରିବ ତାହା ଦେଖିବା ପାଇଁ ଆମକୁ ସମୟ ଦରକାର ବୋଲି କହିଛନ୍ତି ରଣଦୀପ ଗୁଲେରିଆ।

କରୋନା ଭାଇରସ୍ ଟିକା ଉପଲବ୍ଧ ହେବା ପରେ ଭାରତ ସମ୍ମୁଖୀନ ହେବାକୁ ଥିବା ଚ୍ୟାଲେଞ୍ଜଗୁଡିକ ବିଷୟରେ ପଚରାଯିବାରୁ ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, ଏହାର ବଣ୍ଟନ ହେଉଛି ଆମ ପାଇଁ ମୁଖ୍ୟ ଆହ୍ୱାନ, ଯାହାଦ୍ୱାରା ଏହା ଦେଶର ପ୍ରତ୍ୟେକ ଭାଗରେ ପହଞ୍ôଚବ। ସେ କହିଛନ୍ତି, ଟିକାକୁ ଶୀତଳୀକୃତ ଅବସ୍ଥାରେ ରଖିବା, ପର୍ଯ୍ୟାପ୍ତ ପରିମାଣର ସିରିଞ୍ଜ, ପର୍ଯ୍ୟାପ୍ତ ଛୁଞ୍ôଚ ରହିବା ଏବଂ ଏହାକୁ ଦେଶର ଦୂରଦୂରାନ୍ତରେ ପହଞ୍ଚାଇବାରେ ସକ୍ଷମ ହେବା ହେଉଛି ସବୁଠାରୁ ବଡ ଚ୍ୟାଲେଞ୍ଜ। ଦ୍ୱିତୀୟ ଚ୍ୟାଲେଞ୍ଜ ହେଉଛି, ଯଦି ପରେ ଆସିଥିବା ଟିକା ପ୍ରଥମ ଟିକା ଠାରୁ ଅଧିକ ପ୍ରଭାବଶାଳୀ ହୁଏ, ତେବେ କାହାକୁ ପ୍ରଥମ ଟିକା ଦିଆଯିବ ଏବଂ କାହାକୁ ଦ୍ୱିତୀୟ ଟିକା ଦିଆଯିବ, ତାହା ମଧ୍ୟ ଦେଖିବାକୁ ହେବ।