ଅର୍ଥ ବ୍ୟବସ୍ଥା ଆଶାତୀତ ଭଲ ରହିଛି, ଜିଡିପି ଗ୍ରୋଥ -୭.୫ ପ୍ରତିଶତ : ଆରବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ମନିଟାରୀ ପୋଲିସି କମିଟି (ଏମପିସି) ବୈଠକର ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆରବିଆଇି ରେପୋ ରେଟକୁ ୪ ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କରୁ ଋଣ ୪ ପ୍ରତିଶତରେ ହିଁ ମିଳିବ ଫଳରେ ବ୍ୟାଙ୍କ ମଧ୍ୟ ଲୋକଙ୍କୁ ଶସ୍ତାରେ ଋଣ ପ୍ରଦାନ କରିପାରିବ ନାହିଁ। ରିଭର୍ସ ରେପୋ ରେଟ ବି ୩.୩୫ ପ୍ରତିଶତରେ ସ୍ଥିର ରହିଛି। ଏଥିସହିତ ଚଳିତ ବର୍ଷ ଜୀଡୀପୀ ଗ୍ରୋଥ -୭.୫ ପ୍ରତିଶତ ରହିଥିବା ଅନୁମାନ କରାଯାଉଛି।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ୨୦୨୧ରେ ବାସ୍ତବିକ ଜିଡିପି ଗ୍ରୋଥ ରେଟ -୭.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଆଶ୍ୱସ୍ତିକର କଥାଟି ହେଲା, ସ୍ଥିତି ଧୀରେ ଧୀରେ ସୁଧୁରୁଛି ଓ ଅର୍ଥନୀତି ଟ୍ରାକକୁ ଫେରୁଛି। ୨୦୨୦-୨୦୨୧ ବର୍ଷ ଲାଗି ଜିଡିପି ରେଟ -୯.୫ ରହିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲେ ହେଁ ଏଥିରେ ସୁଧାର ଆସିଛି। ଏଥିସହିତ ସେନସେକ୍ସରେ ମଧ୍ୟ ଉନ୍ନତି ଆସିଛି। ୩୫୦ ପଏଣ୍ଟ ବୃଦ୍ଧି ପାଇ ପ୍ରଥମଥର ପାଇଁ ସେନସେକ୍ସ ୪୫ ହଜାର ପଏଣ୍ଟ ପାର କରିଛି।