ଖୋଲିଲା ଶ୍ରୀମନ୍ଦିର: ଆଜି ଏବଂ କାଲି ମହାପ୍ରଭୁଙ୍କ ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ,ଏନ୍ଏନ୍ଏସ୍: ଖୋଲିଲା ଶ୍ରୀମନ୍ଦିର। ଦର୍ଶନ କରୁଛନ୍ତି ସେବକଙ୍କ ପରିବାର। ଆଜି ଓ କାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ସେବାୟତଙ୍କ ପରିବାର। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଠାରୁ ରାତ୍ର ପହୁଡ ପର୍ୟ୍ୟନ୍ତ ଯେକୌଣସି ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ସେବାୟତ ପରିବାର। ଏଥିପାଇଁ ନିଜର ଭୋଟର କାର୍ଡ, ଆଧାର କାର୍ଡ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯେକୌଣସି ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରକୁ ଯାଇପାରିବେ ସେବକ ପରିବାର।

ସେହିପରି ଆସନ୍ତା ୧୬ରୁ ୨୦ ତାରିଖ ଭିତରେ ପୁରୀ ମୁନିସିପାଲିଟି ଅଂଚଳର ଲୋକେ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ ସେମାନେ କୋଭିଡ କଟକଣା ମାନିବା ସହ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟିକାର ପ୍ରମାଣପତ୍ର ସାଙ୍ଗରେ ଧରି ଆସିବେ।

ତେବେ ସବୁ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହିବ। ଏହି ଦୁଇ ଦିନ ମନ୍ଦିରକୁ ସାନିଟାଇଜ୍ କରାଯିବ ବୋଲି ଏସଓପିରେ ଦର୍ଶାଯାଇଛି। ଅନ୍ୟ ବଡ଼ ପର୍ବ ସମୟରେ ମନ୍ଦିର ବନ୍ଦ ରହିବ। ସାନିଟାଇଜେସନ, ମାସ୍କ ଓ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ଭିତରେ ଯେ କୌଣସି ମୂର୍ତ୍ତି ଛୁଇଁବାକୁ ବାରଣ କରାଯାଇଥିବା ବେଳେ, କେହି ଭିତରକୁ ଭୋଗ, ଫୁଲ ଏବଂ ଦ୍ବୀପ ନେଇପାରିବେ ନାହିଁ। ତେବେ ଆନନ୍ଦବଜାରରେ ମହାପ୍ରସାଦ ସେବନ ଉପରେ କଟକଣା ଥିବା ବେଳେ ଭକ୍ତମାନେ କେବଳ ଭୋଗ ପାର୍ସଲ ନେଇପାରିବେ।