ମୋ ସ୍ୱାମୀଙ୍କୁ ଯୋଜାନାବଦ୍ଧ ଭାବେ ହତ୍ୟା କରାଯାଇଛି : ବନଜା

ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ସ୍ୱର୍ଗତଃ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁନେଇ ତାଙ୍କ ପତ୍ନୀ ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ସ୍ୱାମୀଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି ବୋଲି ଆଜି ମାଲକାନଗିରି ଆଦର୍ଶ ଥାନାରେ ସ୍ୱର୍ଗତଃ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ଏତଲା ଦେଇଛନ୍ତି। ତାଙ୍କ ସ୍ୱାମୀ ସ୍ୱର୍ଗତ ପଣ୍ଡା ଗତ ୨୦୧୯ ମସିହା ଡିସେମ୍ବର ୨୭ ତାରିଖ ସକାଳେ ଘରୁ ଖାଇ ସକାଳ ୧୦.୧୦ ମିନିଟରେ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟକୁ ଯାଇଥିଲେ।  ସେଦିନ ଆଉ ସେ ଘରକୁ ଫେରିନଥିଲେ ଓ ତା ପରଦିନ ସତୀଗୁଡ଼ା ଡ୍ୟାମରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ତେବେ ଏହାକୁ ଅପମୃତ୍ୟୁ ବୋଲି ଆଖ୍ୟାଦିଆଯାଇ ଏକ ମାମଲା ଦାୟର କରାଯାଇଥିବା ବେଳେ ମୃତ୍ୟୁ ୮ ମାସ ବିତିଯାଇଥିଲେ ମଧ୍ୟ ଏହାର କାରଣ ଜଣାପଡ଼ିନାହିଁ। ମୋ ସ୍ୱାମୀ ଆତ୍ମହତ୍ୟା କରିନାହାନ୍ତି ଓ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଡ୍ୟାମରେ ଫୋପାଡ଼ି ଦିଆଯାଇଛି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏଥିରେ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଓ କିଛି କର୍ମଚାରୀଙ୍କ ସମ୍ପୃକ୍ତି ଅଛି ବୋଲି  ସେ ଅଭିଯୋଗ କରିଛନ୍ତି। ଏହି ଷଡ଼ଯନ୍ତ୍ରର ଅନେକ ପ୍ରମାଣ ଯୋଗ୍ୟ ତଥ୍ୟ ରହିଛି ବୋଲି ଉଲ୍ଲେଖ କରିବା ସହ ଏହାର ତଦନ୍ତ କଲେ ସତ୍ୟ ପ୍ରକାଶ ପାଇବା ସହ ଆମ ପରିବାରକୁ ନ୍ୟାୟ ମିଳିପାରିବ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ଏ ସମ୍ପର୍କରେ ମାଲକାନଗିରି ଆଦର୍ଶ ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନଥିଲା।