ଜାଲ ଟିଡିଆର ମାମଲାରେ ଜେଲ ଗଲେ ଠିକାଦାର

ଦେବଗଡ଼, ଏନ୍ଏନ୍ଏସ୍: ଦେବଗଡ ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଗରେ ଗତ ୨୦୧୭ ମସିହାରେ ହୋଇଥିବା ଜାଲ ଟିଡିଆର ଘଟଣାର ପ୍ରାୟ ୩ବର୍ଷ ପରେ ସମ୍ପୃକ୍ତ ଠିକାଦାରକୁ ଦେବଗଡ ପୁଲିସ ଗିରଫ କରି କୋର୍ଟ ଚାଳାଣ କରିଛି। ସୂଚନା ଅନୁସାରେ, ଦେବଗଡ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୩୭ଲକ୍ଷ ୧୯ ହଜାର ୧୧୧ ଟଙ୍କା ର ଠିକା କାମ ରେଢାଖୋଲ ଅଞ୍ଚଳର ଠିକାଦାର ମନୋରଞ୍ଜନ ନାୟକ ଷ୍ଟେଟ ବ୍ୟାଙ୍କ ର ୮ ଲକ୍ଷ ୩୯ ହଜାର ଟଙ୍କାର ୩ଟି ଜାଲ ଟିଡିଆର ବଦଳରେ ଠିକା କାମ ହାତେଇଥିଲେ।

ଏ ସମ୍ପର୍କରେ ବିଭାଗ ପକ୍ଷରୁ ଦେବଗଡ ଥାନାରେ ୨୦୧୭ ନଭେମ୍ବର ୧୫ ତାରିଖଦିନ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ଦେବଗଡ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ମାତ୍ର ସେହିଦିନ ଠାରୁ ଅଭିଯୁକ୍ତ ଠିକାଦାର ମନୋରଞ୍ଜନ ଫେରାର ହୋଇଯାଇଥିଲେ। ଦେବଗଡ ଏସପି ମନୋଜ କୁମାର ମାହାନ୍ତଙ୍କ ନିର୍ଦ୍ଦେଶରେ ସବଇନ୍ସପେକ୍ଟର ପ୍ରଦୀପ ରଞ୍ଜନ ପାତ୍ର ଓ ବୁଦ୍ଧରାଏ ମାଝୀ ସଦଳବଳେ ମଙ୍ଗଳବାର ରାତିରେ ରେଢାଖୋଲ ସ୍ଥିତ ବାସଭବନରୁ ଗିରଫ କରିଥିଲା।