ଭଦ୍ରେଶ୍ୱର ପଞ୍ଚାୟତରେ ଢ଼ଳେଇ ରାସ୍ତାର ଅବସ୍ଥା ଶୋଚନୀୟ: ସୂଚନା ତଥ୍ୟରୁ ଖୋଲିଲା ଗୁମର

କୁଆଁପାଳ,ଏନ୍ଏନ୍ଏସ୍: ଭଦ୍ରେଶ୍ୱର ଗ୍ରାମ ପଞ୍ଚାୟତର ଝାଡ଼େଶ୍ୱରପୁର ଗ୍ରାମର ବଡ଼ ଚୌଧୁରୀ ସାହି ଓ ତୋଟା ହରିଜନ ସାହିକୁ ସଂଯୋଗ କରୁଥିବା ରାସ୍ତାକୁ ୨୦୦୧ – ୦୨ ଆର୍ଥିକ ବର୍ଷଠାରୁ ଆଜିଯାଏ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଢଳେଇ ରାସ୍ତା ନିର୍ମାଣ ଓ ମରାମତି ପାଇଁ ପ୍ରଦାନ କରାଯାଇଥିଲା ବେଳେ ରାସ୍ତାର ଅବସ୍ଥା ଏପର୍ଯ୍ୟନ୍ତ ସୁଧୁରିନି। ନିମ୍ନମାନର ଢଳେଇ ରାସ୍ତା ନିର୍ମାଣ ଯୋଗୁ ରାସ୍ତା ନିର୍ମାଣର କେଇମାସ ମଧ୍ୟରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଇଛି। ତଥ୍ୟ ନଂ-୨୨୩, ତା. ୧୫.୭.୨୦୨୧ ରିଖରେ ଭଦ୍ରେଶ୍ୱର ପଞ୍ଚାୟତର ବିଭିନ୍ନ ରାସ୍ତାକାମ ଓ ଅନ୍ୟାନ୍ୟ କାର୍ଯ୍ୟସମ୍ପର୍କରେ ସୂଚନା ତଥ୍ୟ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟରୁ ମିଳିବା ପରେ ଏବେ କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠୁଛି।

ଗତ ବର୍ଷ ଉକ୍ତ ରାସ୍ତାରେ ଏକ ଗାଡ୍ ୱାଲ୍ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା କେଉଁ ଯୋଜନାରେ ନିର୍ମାଣ କରାଯାଇଛି, ଏଥିନିମନ୍ତେ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ବ୍ଲକ ପ୍ରଶାସନ କୌଣସି ତଥ୍ୟ ଦେଇନଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଭଦ୍ରେଶ୍ୱର ପଞ୍ଚାୟତରେ ଝାଡେଶ୍ୱରପୁର ଗ୍ରାମର ଏକ ନିର୍ଦ୍ଧିଷ୍ଟ ସାହିକୁ ଢଳେଇ ରାସ୍ତା ନିର୍ମାଣ ପାଇଁ ଅହେତୁକ ଅନୁକମ୍ପା ବ୍ଲକ ପ୍ରଶାସନ ପ୍ରଦାନ କରୁଥିଲା ବେଳେ ଏହି ଗ୍ରାମର ଅନ୍ୟସାହିମାନଙ୍କୁ ସଂଯୋଗ କରୁଥିବା ରାସ୍ତାକୁ ଢଳେଇ କରିବା ପାଇଁ ଏପର୍ଯ୍ୟନ୍ତ ଅର୍ଥ କାହିଁକି ପ୍ରଦାନ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି। ୭ନଂ ୱାର୍ଡର ପ୍ରଧାନସାହି, ୯ ନଂ ୱାର୍ଡର କଣ୍ଟିବାଙ୍କ ସାମଲ ସାହି, ୧୦ ନଂ ୱାର୍ଡର ଭୋଇସାହିକୁ ଏପର୍ଯ୍ୟନ୍ତ ନାଲିଗୋଡି ରାସ୍ତାଟିଏ ବି ନାହିଁ। ଚୌଧୁରୀସାହି ରାସ୍ତାର ବରଖାତିଆଠାରେ କଲଭର୍ଟ ଏବଂ ଆପ୍ରୋଜ୍ ରାସ୍ତା ପାଇଁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କଲଭର୍ଟ ନିମାଣ କରାଯାଇ ନାହିଁ କି ସୂଚନା ଫଳକ ଲଗାଯାଇନାହିଁ। ଏହି କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି।