ଜାମ୍ମୁ-କାଶ୍ମୀରର କୁଲଗାମରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ୩ ଯବାନ ଆହତ

କୁଲଗାମ,ଏଜେନ୍ସି: ଶୁକ୍ରବାର ସକାଳେ ଜାମ୍ମୁ-କାଶ୍ମୀରର କୁଲଗାମର ନାଗନାଡ-ଚିମର ଅଞ୍ଚଳରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ତିନି ଜଣ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।ଜାମ୍ମୁ କାଶ୍ମୀର ପୁଲିସର ସୂଚନା ଅନୁସାରେ କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଥିଲା। ଏନେଇ ସିଆରପିଏଫ୍ ଓ ଜାମ୍ମୁ-କାଶ୍ମୀର ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବ ଦେବାକୁ ଯାଇ ମିଳିତ ଟିମ୍ ପାଲଟା ଗୁଳି ଚଳାଇଥିଲେ। ଏହି ପରିପ୍ରେକ୍ଷୀରେ କୁଲଗାମର ନାଗନାଡ- ଚିମର ଅଞ୍ଚଳରେ ୩ ଆତଙ୍କବାଦୀଙ୍କ ଏନକାଉଣ୍ଟର ହୋଇଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିିଁ। ଏଥିରେ ତିନି ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି।

ଏହି ସମୟରେ ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହେବା ସହ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି। ସେହିପରି ଗତ ୫ ତାରିଖରେ କୁଲଗାମର ଆରେହ ଗ୍ରାମରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।