ଶ୍ରୀନଗର,ଏଜେନ୍ସି: ଜାମ୍ମୁ କାଶ୍ମୀରର ସୋପରରେ ଆତଙ୍କବାଦୀ ଆକ୍ରମଣ। ବିଜେପି ରାଜ୍ୟ ସମ୍ପାଦକ ଓ ଡିଡିସି ଚେୟାରମ୍ୟାନ ଫରିଦ ଖାନଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏହି ଆକ୍ରମଣରେ ଜଣେ ପିଏସଓଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି।
ଡାକବଙ୍ଗଳାରେ ଡିଡିସି ସଦସ୍ୟଙ୍କ ବୈଠକ ସମୟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଆକ୍ରମଣ ପରେ ପୁଲିସ କର୍ମୀ ଓ ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।
କାଶ୍ମୀରର ସୋପର ଅଞ୍ଚଳର ଲୋନ ବିଲ୍ଡିଂରେ କାଉନସିଲରଙ୍କ ବୈଠକ ଚାଲିଥିଲା। ବୈଠକ ଚାଲିଥିବା ସମୟରେ ହିଁ ଆତଙ୍କବାଦୀମାନେ ପହଞ୍ଚି ଅଚାନକ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ସେଠାରେ ଉପସ୍ଥିତ ପୁଲିସ କର୍ମୀ ସଫକତ ଅହମଦ ପାଲଟା ଜବାବ ଦେବାକୁ ଚେଷ୍ଟା କରୁଥିବା ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିଲେ। ପରେ ତାଙ୍କ ଦେହାନ୍ତ ହୋଇଯାଇଛି। ଏଥି ସହ କାଉନସିଲର ରିଆଜ ଅହମଦଙ୍କ ମଧ୍ୟ ମୃତ୍ୟୁ ହୋଇଛି।