ମଣିପୁର ଆତଙ୍କବାଦୀ ଆକ୍ରମଣରେ କମାଣ୍ଡିଂ ଅଫିସରଙ୍କ ସମେତ ୬ ସହିଦ

ମଣିପୁର: ମଣିପୁରର ସୁରଜଚନ୍ଦ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଫଳରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର, ତାଙ୍କ ପରିବାର ଓ ୩ ଯବାନ ସହିଦ ହୋଇଛନ୍ତି। ଏଥିରେ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ, ତାଙ୍କ ପତ୍ନୀ ଓ ପୁଅଙ୍କ ସମେତ ୬ଜଣ ନିହତ ହୋଇଥିବା ସୂଚନା ମିଳିଛି।

ରିପୋର୍ଟସ ମୁତାବକ, ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ମିଆଁମାର ସୀମା ପାଖରେ ପାଖାପାଖି ସକାଳ ୧୦ଟାରେ ଏହି ଘଟଣା ଘଟିଛି। ଆସାମ ରାଇଫଲ୍ସର ଗୋଟିଏ ଗାଡ଼ି ଉପରେ ଆତଙ୍କବାଦୀଙ୍କ ଏକ ଅଜଣା ସମୂହ ଏହି ଘାତକ ଆକ୍ରମଣ କରିଥିଲେ। ଅନ୍ୟପଟେ ଏହି ଆକ୍ରମଣରେ ମଣିପୁର ପିପୁଲ୍ସ ଲିବରେସନ ପାର୍ଟିର ହାତ ଥିବା କୁହାଯାଉଛି। ୧୯୭୮ରେ ଗଠିତ ହୋଇଥିବା ଏହି ପାର୍ଟିକୁ ଭାରତ ସରକାର ଆତଙ୍କବାଦୀ ସଂଗଠନ ରୂପେ ଘୋଷିତ କରିଛନ୍ତି।

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଟ୍ୱିଟ୍ କରି ଏହି ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ କର୍ଣ୍ଣେଲ ଓ ତାଙ୍କ ପରିବାରର ମୃତ୍ୟୁ ସମ୍ବନ୍ଧରେ ପୁଷ୍ଟି କରିଛନ୍ତି। ରାଜ୍ୟ ପୁଲିସ ଓ ପାରା ମିଲିଟ୍ରୀ ଆତଙ୍କବାଦୀଙ୍କୁ ଧରିବା ପାଇଁ କାଉଣ୍ଟର ଅପରେସନ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।