ଲଦାଖ ସୀମାରେ ପୁଣି ଉତ୍ତେଜନା, ଚୀନ କହିଲା-ଆମ ଯବାନ ଫେରାଅ

ନୂଆଦିଲ୍ଲୀ,ଏଜେନ୍ସି: ଥମୁନି ଭାରତ-ଚୀନ ସୀମା ବିବାଦ। ଲଦାଖ ସୀମାରେ ପୁଣି ସୃଷ୍ଟି ହୋଇଛି ଉତ୍ତେଜନା। ଶୁକ୍ରବାର ଚୀନର ଜଣେ ସୈନିକ ଭାରତକୁ ପଶି ଆସିଥିଲା। ଏହାପରେ ଭାରତୀୟ ଯବାନମାନେ ତାକୁ ଗିରଫ କରିଛନ୍ତି। ଏବେ ସେହି ସୈନ୍ୟ ଜଣଙ୍କୁ ଫେରାଇବାକୁ ଚୀନ ଦାବି କରିଛି। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ଭାରତୀୟ ଅଧିକାରୀଙ୍କ କହିବାନୁସାରେ, ଶୁକ୍ରବାର ଚୀନର ଜଣେ ସୈନ୍ୟ ଏଲଏସି ଅତିକ୍ରମ କରି ଭାରତର ସୀମା ଭିତରକୁ ପଶି ଆସିଥିଲେ। ସେ ପୂର୍ବ ଲଦାଖର ପୋଙ୍ଗୟାଙ୍ଗ ନିକଟରେ ବୁଲୁଥିଲେ। ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା। ଯେତେବେଳେ ସୀମାରେ ଚୀନ୍ ବିପୁଳ ସଂଖ୍ୟାରେ ନିଜ ଯବାନଙ୍କୁ ମୁତୟନ କରିଥିଲା ସେତେବେଳେ ହିଁ ଏହି ସୈନିକଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।

ସେପଟେ ଚୀନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ତାଙ୍କର ଜଣେ ସୈନ୍ୟ ଭୁଲରେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ। ରାତିର ଅନ୍ଧାରରେ ସେ ଭୌଗଳିକ ସୀମାକୁ ଜାଣି ନପାରି ଏପରି କରିଥିଲେ। ଭାରତକୁ ଏକ ଚୁକ୍ତି କଥା ମନେ ପକାଇ ଚୀନର ଏକ ଓ୍ୱେବସାଇଟରେ ଉଲ୍ଲେଖ ଅଛି ଯେ, ପ୍ରାସଙ୍ଗିକ ବୁଝାମଣାକୁ ପାଳନ କରିବା ଜରୁରୀ। ସମୟ ବରବାଦ ନକରି ଚୀନ ସୈନ୍ୟଙ୍କୁ ଭାରତ ଫେରାଇ ଦେଉ। ଏପରି ହେଲେ ସୀମାରେ ଶାନ୍ତି ବଜାୟ ରହିବ ବୋଲି ଚୀନର ଏକ ଓ୍ୱେବସାଇଟରେ ଉଲ୍ଲେଖ ହୋଇଛି।

ପୂର୍ବରୁ ମଧ୍ୟ ଗତ ଅକ୍ଟୋବର ୧୯ ତିରଖରେ ଲଦାଖର ଡେମଚୋକ ସେକ୍ଟରରେ ଏଲଏସି ପାର କରି ଚୀନର ଜଣେ ସୈନିକ ଭାରତ ଭିତରକୁ ପଶି ଆସିଥିଲେ। ଉକ୍ତ ସୈନିକଙ୍କୁ ଭାରତୀୟ ଯବାନମାନେ ଗିରଫ କରିଥିଲେ। କିନ୍ତୁ ନିର୍ଦ୍ଧାରିତ ପ୍ରୋଟୋକଲକୁ ପାଳନ କରି ଚୀନକୁ ତାର ସୈନିକ ଫେରାଇଦେଇଥିଲେ।