ନୂଆଦିଲ୍ଲୀ,ଏଜେନ୍ସି: ଗତ କିଛି ଦିନ ଧରି ସୀମାରେ ଲାଗି ରହିଥିବା ଉତ୍ତେଜନାକୁ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଚୀନ୍ ଏବଂ ନେପାଳ ସହ ଚାଲିଥିବା ବିବାଦ ଉପରେ ଆଲୋଚନା ହୋଇଛି। ଜେନେରାଲ ବିପିନ୍ ରାୱତ, ତିନି ସେନାର ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଆଲୋଚନା କରିବା ସହ ଲଦାଖ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ।
କିଛିଦିନ ପୂର୍ବରୁ ଭାରତୀୟ ସୈନିକମାନେ ଚୀନ୍ ସେନା ସହ ଯୁଦ୍ଧ କରୁଥିବା ଖବର ଆସିଥିଲା, ଯାହା ପରେ ଉଭୟ ଦେଶର ସୀମାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ଏହି ସମୟରେ ଆଜି ପ୍ରତିରକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଥିବା ଏହି ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ଯେଉଁଥିରେ ରାଜନାଥ ସିଂ ଚୀନ୍ ଉପରେ ଭାରତ କିପରି ପ୍ରତିକ୍ରିୟା କରୁଛି ସେ ସମ୍ପର୍କରେ ଆଲୋଚନା କରିଥିବା ଜଣା ପଡ଼ିଛି। ଆଲୋଚନା ଏବଂ କୁଟନୈତିକ ସାମ୍ମୁଖ୍ୟରେ ଚୀନ୍ ସହ ଚାଲିଥିବା ବିବାଦର ସମାଧାନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। କିନ୍ତୁ, ଏହା ଭିତରେ ଭାରତୀୟ ସେନା ଯେଉଁଠାରେ ଛିଡା ହୋଇଛି, ସେଠାରେ ହିଁ ରହିବ। ଏହା ବ୍ୟତୀତ ଭାରତ ସୀମାରେ ଆରମ୍ଭ କରିଥିବା ସଡକ ନିର୍ମାଣ କାର୍ଯ୍ୟ ଜାରି ରହିବ।
ସୀମାରେ ଚୀନ ଲଗାତର ନିଜର ସେନା ବୃଦ୍ଧି କରୁଥିବାରୁ ଭାରତ ମଧ୍ୟ ନିଜର ସେନା ବୃଦ୍ଧି କରିଛି। ଅତୀତରେ ଲଦାଖରେ ଯାହା ଘଟିଛି, ସୁରକ୍ଷା ଦୃଷ୍ଟିରୁ ଭାରତ ଆଖି ତୀକ୍ଷ୍ଣ କରିଛି ଏବଂ ପ୍ରତ୍ୟେକ ପଦକ୍ଷେପ ଉପରେ କଡା ନଜର ରଖାଯାଉଛି। କିଛି ଦିନ ପୂର୍ବେ ଲଦାଖ ଏବଂ ସିକ୍କିମର ନାକୁଲା ସେକ୍ଟରରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା। ଏହା ପରେ ଉଭୟ ଦେଶରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। କେବଳ ଲଦାଖ ନୁହେଁ, ଗତ ଏକ ମାସ ମଧ୍ୟରେ ତିନୋଟି କ୍ଷେତ୍ରରେ ଚୀନ୍ ଏବଂ ଭାରତ ମଧ୍ୟରେ ତିକ୍ତ ପରିସ୍ଥିତି ସୃଷ୍ଟି ହେଉଛି। ପଶ୍ଚିମ ସେକ୍ଟରରେ ଲଦାଖ, ପୂର୍ବ ସେକ୍ଟରରେ ଉତ୍ତର ସିକ୍କମ ଏବଂ ଉତ୍ତରାଖଣ୍ଡ ରେ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି। ଭାରତୀୟ ସୁରକ୍ଷା ବାହିନୀ ସେମାନଙ୍କ ଭାରୀ ଲିଫ୍ଟ ପରିବହନ ବିମାନ ବ୍ୟବହାର କରି ପୂର୍ବ ଲଦାଖ ସେକ୍ଟରରେ ସେନା ନିୟୋଜିତ କରିଥିଲେ।