ନୂଆଦିଲ୍ଲୀ,ଏଜେନ୍ସି: ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ନଫ୍ତାଲୀ ବେନେଟ ଓ ପ୍ରତିରକ୍ଷା ମନ୍ତ୍ରୀ ବେନୀ ଗେଟ୍ଜଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଉଭୟ ଭାରତ ଯାତ୍ରାକୁ ନେଇ ମୁହାଁମୁହିଁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଗେଟ୍ଜ ଏହି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ବେନେଟଙ୍କ ଭାରତ ଯାତ୍ରା ପୂର୍ବରୁ ନୂଆଦିଲ୍ଲୀ ଯିବେ। ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ଭାରତ ସହିତ ରାଜନୈସକ ସଂପର୍କ ୩୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ମାସରେ ଭାରତକୁ ଯାତ୍ରା କରିବେ।
ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଘୋଷଣା ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଏକ ବୟାନରେ କହିଛନ୍ତି ଯେ, ସେ ମଙ୍ଗଳବାର ଅନ୍ୟ ଅଧିକାରୀଙ୍କ ସହିତ ଭାରତ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ସେ ନିଜର ଭାରତୀୟ ସମକକ୍ଷ ରାଜନାଥ ସିଂହଙ୍କୁ ଭେଟିବାର ଆଶା ରହିଛି। ଇସ୍ରାଏଲ ମିଡିଆର ରିପୋର୍ଟ ଅନୁସାରେ ଗେଟ୍ଜଙ୍କ ଯାତ୍ରା ନେଇ ହୋଇଥିବା ଘୋଷଣାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଆଶ୍ଚର୍ଯ୍ୟ ଲାଗୁଛି।
ରିପୋର୍ଟରେ କୁହାଯାଇଛି ଯେ, ପ୍ରତିରକ୍ଷା ମନ୍ତ୍ରୀ ଗେଟ୍ଜ ଭାରତ ଗସ୍ତ କରି ଲୋକପ୍ରିୟତା ହାସଲ କରିବାକୁ ଚାହୁଁଛନ୍ତି। ମନ୍ତ୍ରୀ ନିଜର ଭାରତ ଗସ୍ତ ନେଇ ଘୋଷଣା କରିବା ଦ୍ୱାରା ସେ ନିଜ ଗୋଡ଼ରେ କୁରାଢ଼ୀ ଚୋଟ ମାରୁଛନ୍ତି। ତେବେ ଉଭୟ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ହେଉଛି ନା ନାହିଁ, ତାହା ଆଗାମୀ ସମୟ କହିବ।