ୟୁକ୍ରେନ୍ ସହ ଛିଡ଼ା ହୋଇଛି ଆମେରିକା, ନୋଟୋ ସୀମା ପ୍ରବେଶ କରିବାକୁ ଚିନ୍ତା ନ କରୁ ରୁଷିଆ: ବାଇଡେନ୍‌

ବାର୍‌ସା,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଦୀର୍ଘ ୧ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ନେଇ ପୋଲାଣ୍ଡରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ, ନାଟୋ ସମୂହର ରାଷ୍ଟ୍ରମାନେ ଏକାଠି ହାତ ମିଶାଇଛନ୍ତି। ରୁଷିଆ ଗଣତନ୍ତ୍ରର ଗଳା କାଟୁଛି। ୟୁକ୍ରେନ୍ ଆଜି ନିଜର ସ୍ୱାଧୀନତା ପାଇଁ ଲଢ଼େଇ କରୁଛି। ୟୁକ୍ରେନ୍ ସହିତ ଆମେରିକା ଛିଡ଼ା ହୋଇଛି। ଆମେ ଗଣତନ୍ତ୍ର ପାଇଁ ପୁରା ବଳ ଲଗେଇ ଲଢ଼ିବା।

ବାଇଡେନ୍ କହିଛନ୍ତି ଯେ, ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ଗଣତାନ୍ତ୍ରିକ ଭାବେ ଚୟନିତ ହୋଇଥିବା ରାଷ୍ଟ୍ରପତି। ସେ କହିଛନ୍ତି ଯେ, ୟୁକ୍ରେନ୍ ଉପରେ ଆକ୍ରମଣ ନେଇ ରୁଷିଆ ପାଖରେ କୌଣସି ଯୁକ୍ତିଭିତ୍ତିକ କାରଣ ନାହିଁ। ସମ୍ବୋଧନ ସମୟରେ ବାଇଡେନ୍ ୟୁକ୍ରେନ ଲାଗି ଆଥିର୍କ ସହାୟତା ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି ଅମାନୁଷିକତା ଆକ୍ରମଣ ପାଇଁ ରୁଷିଆ ଦାୟୀ। ମୁଁ ୟୁକ୍ରେନ୍‌ର ଶରଣାର୍ଥୀଙ୍କୁ ଭେଟିଛି ଏବଂ ଆମେ ୟୁକ୍ରେନ୍‌ର ଲୋକଙ୍କ ସହିତ ଛିଡ଼ା ହୋଇଛୁ।

ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ୟୁକ୍ରେନ୍‌ର ସହଯୋଗ କରିବୁ। କଟକଣା ଯୋଗୁଁ ରୁଷିଆର ଆର୍ଥିକ ପରିସ୍ଥିତି ଖରାପ ହେବାରେ ଲାଗିଛି। ରୁଷିଆ ଗଣତନ୍ତ୍ରର ଗଳା କାଟୁଛି। ବାଇଡେନ୍ ଅପିଲ କରିଛନ୍ତି ଯେ, ସବୁ ଦେଶ ମିଶି ୟୁକ୍ରେନ୍‌କୁ ସହଯୋଗ କରନ୍ତୁ। ୟୁକ୍ରେନ୍‌ର ରକ୍ଷା ପାଇଁ ଆମେରିକା ସବୁବେଳେ ଛିଡ଼ା ହୋଇଛି। ନାଟୋ ରୁଷିଆ ପାଇଁ ବିପଦ ନାହିଁ। ନାଟୋ ସୀମା ଅତିକ୍ରମ କରିବା କଥା ରୁଷିଆ ଚିନ୍ତା ନ କଲେ ଭଲ। ଆମେରିକାର ସେନା ସବୁ ସମୟରେ ସହଯୋଗ ପାଇଁ ପୋଲାଣ୍ଡରେ ଉପସ୍ଥିତ ଅଛନ୍ତି।