ମଝିଘରିଆଣି ମନ୍ଦିରର ଖୋଲିଲା ଦାନ ହୁଣ୍ଡି

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ାର ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣିଙ୍କ ଚଳିତ ବର୍ଷରେ ପ୍ରଥମ ଥର ପାଇଁ ହୁଣ୍ଡି ଖୋଲାଯାଇଛି। କରୋନା କଟକଣା ଯୋଗୁଁ ମାଁଙ୍କ ଦାନ ହୁଣ୍ଡି ଖୋଲାଯାଇ ପାରୁନଥିଲା। ଆଜି କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲାଯାଇଛି। ପ୍ରତିଥର ୧୫୦ ସ୍ୱେଚ୍ଛାସେବୀ ଟଙ୍କା ଗଣିବା ପାଇଁ ନିୟୋଜିତ ଥିବାବେଳେ ଏଥର କୋଭିଡ଼ ନିୟମ ମୁତାବକ ମାତ୍ର ୫୦ ଜଣଙ୍କ ମଧ୍ୟରେ ଟଙ୍କା ଗଣାଯାଇଛି। ଚଳିତ ଥର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଟଙ୍କା ଜମା ରଖାଯାଇଛି। ତେବେ ଏହି ଟଙ୍କା ଗଣନାରେ ଅନ୍ୟମାନଙ୍କ ମଧ୍ୟରେ ଭେଙ୍କେଟେଶ୍ୱର ମନ୍ଦିର କମିଟି ରାୟଗଡ଼ା ଏବଂ ଜେକେ ପୁର ସଦସ୍ୟ, ସତ୍ୟ ସାଇ ସେବା ସମିତି, ମଝିଘରିଆଣି ମନ୍ଦିର କମିଟି ସମେତ କିଛି କଲେଜ ଛାତ୍ରଛାତ୍ରୀ ମଧ୍ୟ ଟଙ୍କା ଗଣିବାରେ ସହାୟତା କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୫ ତାରିଖ ଦିନ ଶେଷ ଥର ହୁଣ୍ଡି ଖୋଲିବା ପରେ ସେଥିରୁ ନଗଦ ୫୪ ଲକ୍ଷ ୫୧ ହଜାର ୨୯୪ ଟଙ୍କା, ୪୫ ଗ୍ରାମ ସୁନା ଓ ୧ କେଜି ୮୭୦ ଗ୍ରାମ ରୁପା ଅଳଙ୍କାର ବାହାରିଛି। ଏଥି ସହିତ ୨୭ଟି ପୁରୁଣା ହଜାର ଟଙ୍କିଆ ନୋଟ ସହ ୪୩ ଟି ୫୦୦ ଟଙ୍କିଆ ନୋଟ ମିଳିଥିଲା। ଅନ୍ୟପଟେ ଏହି କୁଣ୍ଡି ଗଣା ସମୟରେ ୪୮୫୦୦ ଟଙ୍କାର ପୁରୁଣା ନୋଟ ମଧ୍ୟ ମିଳିଛି।

ଗତ ବର୍ଷ ୧୦ ଜୁନରେ ଏହି ହୁଣ୍ଡିରୁ ୬୩ ଲକ୍ଷ ୩୮ ହଜାର ୧୦୫ ଟଙ୍କା ସହ ସୁନା ଏବଂ ରୁପା ମିଳିଥିଲା। ତେବେ ପ୍ରତି ୩ ମାସରେ ଥରେ ମନ୍ଦିରର ହୁଣ୍ଡି ଖୋଲାଯାଉଥିବା ବେଳେ ଚଳିତ ବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ଚଳିତ ଥର ଏଥିରେ ବିଳମ୍ବ ହୋଇଥିବା ମନ୍ଦିର ଟ୍ରଷ୍ଟି ରାଇସିଂ ବିଡ଼ିକା କହିଛନ୍ତି। ତେବେ ଆନ୍ଧ୍ର ଛତିଶଗଡ଼ ଓ ଓଡ଼ିଶାର ବହୁ ଭକ୍ତ ମାଙ୍କ ଆଶୀର୍ବାଦ ପାଇ ମନସ୍କାମନା ପୂରଣ ପରେ ସୁନା ଓ ଟଙ୍କା ଦାନ କରିଥାନ୍ତି। ଯାହା ବାର୍ଷିକ ୪ କୋଟିରୁ ଅଧିକା ଟଙ୍କା ମିଳିଥାଏ। ଏହି ଅର୍ଥକୁ ଜିଲ୍ଲାର ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ, ପୂଜା ରୀତିନୀତି, ମନ୍ଦିର ଉନ୍ନୟନ ତଥା କର୍ମଚାରୀଙ୍କ ଦରମା ବାବଦରେ ଖର୍ଚ୍ଚ ହୋଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କ ମନ୍ଦିର ଦର୍ଶନ ଉପରେ କଟକଣା ରହିଥିବାରୁ ହୁଣ୍ଡିରୁ ଆଦାୟ ମଧ୍ୟ କମିଯାଇଛି।