୪ ବର୍ଷ ବୟସରୁ ଅନନ୍ୟ ପ୍ରତିଭା: ପୋଖରୀର ଏ ମୁଣ୍ଡରୁ ସେ ମୁଣ୍ଡକୁ ସନ୍ତରଣ କରୁଛନ୍ତି ଦୁର୍ଗା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଠିକ୍ ଭାବରେ କଥା କହିବା ଶିଖି ନାହିଁ, ହେଲେ ଜଳ ସହିତ ତାର ନିବିଡ ସମ୍ପର୍କ। ବୟସ ମାତ୍ର ୪, ହେଲେ ପୋଖରୀର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଅତି ଆରାମରେ ସନ୍ତରଣ କରୁଛି। ଏହିପରି ଏକ ଅନନ୍ୟ ପ୍ରତିଭାର ଅଧିକାରୀ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ଭଅଁରାଚକା ଗ୍ରାମର ସସ୍ମିତା ଧୁରୁଆଙ୍କ ପୁଅ ଦୁର୍ଗା ପ୍ରାସଦ ସିଦାର। ତାଙ୍କ ପ୍ରତିଭା ଆଗରେ ବୟସ୍କ ଲୋକ ମଧ୍ୟ ହାର ମାନୁଛନ୍ତି। ଗ୍ରାମ ପୋଖରୀର ଏ ମୁଣ୍ଡରୁ ସେ ମୁଣ୍ଡ ୧୦୦ ମିଟରରୁ ଅଧିକ ହେବ। ଏହି ୧୦୦ ମିଟର ଦୂରତାକୁ ଅତି ସହଜରେ ୩ ମିନିଟ ମଧ୍ୟରେ ସନ୍ତରଣ କରିପାରୁଛନ୍ତି ଦୁର୍ଗା। ଆଶ୍ଚର୍ଯ୍ୟର କଥା ହେଉଛି କି ଦୁର୍ଗାକୁ କେହି ସନ୍ତରଣ ପାଇଁ ପ୍ରଶିକ୍ଷଣ ଦେଇନାହାନ୍ତି।

 

ସେ ମାଙ୍କ ସହ ପୋଖରୀକୁ ଗାଧୋଇବାକୁ ଗଲା ସମୟରେ ମାତ୍ର ୩ ବର୍ଷ ବୟସରେ ସନ୍ତରଣ କରିବା ଆରମ୍ଭ କରିଥିଲେ। ସେହିଦିନ ଠାରୁ ସନ୍ତରଣ କରିବା ପାଇଁ ସେ ପ୍ରତିଦିନ ପୋଖରୀକୁ ଧାଉଁଥିଲେ। ପୁଅ ଛୋଟ ଥିବାରୁ କାଳେ କିଛି ଅଘଟଣ ହେବ ଭାବି ମାଁ ତାଙ୍କୁ ବାରଣ କରିବା ସହିତ ତାକୁ ଘରେ ବାନ୍ଧି ରଖୁଥିଲେ। ହେଲେ ପୁଅର ଅଳି ଆଗରେ ହାର ମାନି ମାଆ ପୁଣି ନିଜ ସହ ପୁଅକୁ ଗାଧେଇବା ପାଇଁ ପୋଖରୀକୁ ନେଉଥିଲେ। ସେଠାରେ ଦୁର୍ଗା ଅଳ୍ପ ଦିନରେ ସନ୍ତରଣରେ ପାରଙ୍ଗମ ହୋଇଯାଇଥିଲେ। ୪ ବର୍ଷରେ ସନ୍ତରଣରେ ପାରଙ୍ଗମ ହୋଇସାରିଥିବା ଦୁର୍ଗାକୁ ଯଦି ଭଲ ଭାବରେ ପ୍ରଶିକ୍ଷଣ ଦିଆଯାଏ ତେବେ ସେ ବଡ଼ ହୋଇ ରାଜ୍ୟ ତଥା ଦେଶ ପାଇଁ ନିଶ୍ଚିତ ଭାବେ ଗର୍ବ ଆଣିବ ବୋଲି ତାଙ୍କ ମାଁ ସସ୍ମିତା କହିଛନ୍ତି।

ସସ୍ମିତାଙ୍କ ପରିବାର କହିଲେ କେବଳ ତାଙ୍କ ପୁଅ ଦୁର୍ଗା। ପୁଅ ଗର୍ଭରେ ଥିବା ସମୟରୁ ତାଙ୍କୁ ସ୍ୱାମୀ ବାପ ଘରେ ଛାଡି ଦେଇଥିଲେ। ସସ୍ମିତା ବାପାଙ୍କ ଘରେ ରହି ବିଡି ତିଆରି କରିବା ସହ ଦିନ ମଜୁରି କରି ପୁଅର ଭରଣ ପୋଷଣ କରୁଛନ୍ତି। ପୁଅକୁ ଉଚ୍ଚକୋଟିର ପ୍ରଶିକ୍ଷଣ ଦେବା ପାଇଁ ମାଆ ପାଖରେ ଅର୍ଥର ଅଭାବ ରହିଛି। ତେଣୁ ସରକାରୀ ସ୍ତରରେ ଦୁର୍ଗାକୁ ପ୍ରଶିକ୍ଷଣର ଦେବାର ବ୍ୟବସ୍ଥା କରାଗଲେ ଭବିଷ୍ୟତରେ ସେ ଦେଶ ପାଇଁ ଅଲମ୍ପିକରେ ପଦକ ହାସଲ କରିପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।