ତେଲେଙ୍ଗାନା ଲଜ୍ଜା: ପରିବାରକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱର ସମୂହ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ତେଲେଙ୍ଗାନା ରାଜ୍ୟର ଡ଼ାକ୍ତର ପ୍ରିୟଙ୍କା ରେଡ୍ଡି ଗଣଦୁର୍ଷ୍କମ ଏବଂ ଜଘନ୍ୟ ହତ୍ୟା ଘଟଣାର ପ୍ରତିବାଦ ଏବଂ ପ୍ରିୟଙ୍କାଙ୍କ ପରିବାରକୁ ନ୍ୟାୟ ଦେବା ଦାବୀରେ ଭୁବନେଶ୍ୱର ସମୂହ ତରଫରୁ ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାକୁ କଠୋର ଭାବେ ନିନ୍ଦା କରି କୁହାଯାଇଛି ଯେ, ଏହି ବର୍ବର ଏବଂ ପାଶବିକ କାଣ୍ଡ ପାଇଁ ତେଲେଙ୍ଗାନା ସରକାର ନୈତିକ ଦାୟିତ୍ୱ ଗ୍ରହଣ କରୁ, ଅପରାଧୀମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରୁ ଏବଂ ଏହିଭଳି ବିଭତ୍ସ ଘଟଣା ନ ହେବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ମହିଳାମାନଙ୍କ ନିରାପତା ପାଇଁ ସ୍ୱତନ୍ତ୍ର ଭାବେ ଯୋଜନା ଗ୍ରହଣ କରନ୍ତୁ।

ନିକଟରେ ଓଡ଼ିଶାରେ ସ୍ମିତାରାଣୀଙ୍କ ମୃତ୍ୟୁ ଜନିତ ରହସ୍ୟ, ହତ୍ୟା କିମ୍ବା କେଉଁ ପରିସ୍ଥିତିରେ କାହିଁକି ଆତ୍ମହତ୍ୟା, କୁନ୍ଦୁଲି ପୀଡ଼ିତା, ଇତିଶ୍ରୀ ମାମଲା, ବେବିନା ହତ୍ୟା ଇତ୍ୟାଦିରେ ପୀଡ଼ିତାମନଙ୍କ ପରିବାରକୁ ଅଦ୍ୟାବଧି ନ୍ୟାୟ ମିଳିପାରି ନାହିଁ । କାଟୱା, ଊନା ଗଣଦୁର୍ଷ୍କମ ଅତି ଗମ୍ଭୀର ପରିସ୍ଥିତିକୁ ଇଙ୍ଗିତ କରୁଛି । ନିର୍ଭୟା ଘଟଣା ପରେ ବର୍ମା କମିଶନ ସୁପାରିଶ ସବୁ କିଛି ଚର୍ଚ୍ଚାରେ ରହିଛି । ବାସ୍ତବ କ୍ଷେତ୍ରରେ ମହିଳାମାନେ ନ୍ୟାୟ ପାଉନାହାଁନ୍ତି, ବରଂ ମହିଳାମାନଙ୍କ ଉପରେ ହିଂସା ଏବଂ ଅପରାଧ ବଢୁଛି । ସମାଜରେ ବସା ବାନ୍ଧିଥିବା ଉଗ୍ର ଅସାମାଜିକ ପରିସ୍ଥିିତି ବିରୋଧରେ ସମଗ୍ର ସମାଜ ଲଢିବା ପାଇଁ ପରିସ୍ଥିତିର ଆହ୍ୱାନ ।

ମାତ୍ର ଦେଶ ଓ ରାଜ୍ୟରେ ସରକାର ଚଳାଉଥିବା ଶାସକ, ପ୍ରଶାସନ ଏବଂ ପୁଲିସ୍ ବ୍ୟବସ୍ଥା ନିଜର ନୈତିକ, ଆଇନ୍ଗତ ଏବଂ ସାମ୍ବିଧାନିକ ଦାୟିତ୍ୱକୁ ଏଡ଼ାଇ ଦେଲେ ଚଳିବ ନାହିଁ । ପ୍ରିୟଙ୍କା ଘଟଣାରେ ତେଲେଙ୍ଗାନା ସରକାର ଏବଂ ସ୍ମିତାରାଣୀ ଘଟଣାରେ ଓଡ଼ିଶା ସରକାର ଦେଶବାସୀଙ୍କ ପାଖରେ ଜବାବ ରଖିବା ପାଇଁ ଭୁବନେଶ୍ୱର ସମୂହ ଦାବୀ କରିଛି । ମହିଳାମାନଙ୍କ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେହି ବି ରାଜନୀତି କରିବା ଉଚିତ୍ ନୁହେଁ । କିନ୍ତୁ ନିର୍ବାଚିତ ସରକାରମାନେ ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରିବା ପାଇଁ ଦାବୀ କରାଯାଇଛି ।

ଭୁବନେଶ୍ୱର ସମୂହ ତରଫରୁ ଏହି ବିକ୍ଷୋଭରେ ବିଶିଷ୍ଟ ସମାଜକର୍ମୀ ରାଜନୈତିକ କର୍ମୀ, ମହିଳା ସଂଗଠକ ଏବଂ ସ୍ତମ୍ଭକାରମାନେ ଯୋଗ ଦେଇଥିଲେ । ଦେବ ପ୍ରସାଦ ରାୟ ମହାପାତ୍ର, ସୁଦର୍ଶନ ଦାସ, ସୁଜାତା ସାହାଣୀ, ଅରୁଣ ଦିହୁଡ଼ି, ପ୍ରଦୀପ୍ତ ନାୟକ, ଶାନ୍ତି ମୁର୍ମୁ, ପ୍ରଭାତ ପାଣିଗ୍ରାହୀ, ରାମଚନ୍ଦ୍ର ତ୍ରିପାଠୀ, ସାଲ ମାର୍ଣ୍ଡି, ଜୟଦେବ ନାୟକ, ଚାମ୍ବୁରୁ ସୋରେନ, ଜୟପ୍ରକାଶ ଭଞ୍ଜଦେଓ, ରବୀନ୍ଦ୍ର ଟୁଡ଼ୁ, ସୁଶାନ୍ତ ମହାକୁଡ଼, ଶିବ ସୋରେନ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ରହି ପ୍ରତିବାଦରେ ଅଂଶଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଭୁବନେଶ୍ୱର ସମୂହର ଆବାହକ ସୁରେଶ ପାଣିଗ୍ରାହୀ ବିକ୍ଷୋଭକୁ ପରିଚାଳନା କରିଥିଲେ ।