ହାଇଦ୍ରାବାଦ,ଏଜେନ୍ସି: ବିମାନ ଯାତ୍ରା ବେଳେ ମଝି ଆକାଶରେ ଅସୁସ୍ଥ ହୋଇପଡିଥିବା ଜଣେ ସହଯାତ୍ରୀଙ୍କୁ ଚିକିତ୍ସା କରି ଚର୍ଚ୍ଚାରେ ତେଲେଙ୍ଗାନା ରାଜ୍ୟପାଳ। ନୂଆଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ ଜଣେ ସହଯାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଉକ୍ତ ବିମାନରେ ଯାତ୍ରା କରୁଥିବା ତେଲେଙ୍ଗାନା ରାଜ୍ୟପାଳ ତାମିଲିସାହି ସୁନ୍ଦରରାଜନ ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିବା ଦେଖିବାକୁ ମିଳିଥିଲା।
ଜଣେ ଯାତ୍ରୀ ହଠାତ୍ ଅସୁସ୍ଥତା ଅନୁଭବ କରିଥିବା ବିମାନ କ୍ର୍ୟୁ ସଦସ୍ୟଙ୍କ ଠାରୁ ଖବର ପାଇଥିଲେ ରାଜ୍ୟପାଳ ସୁନ୍ଦରରାଜନ। ତେବେ ସୂଚନା ପାଇବା ମାତ୍ରେ ସେ ଉକ୍ତ ଯାତ୍ରୀଙ୍କ ସିଟ୍ ନିକଟକୁ ଯାଇ ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ଯାତ୍ରୀଜଣଙ୍କ ସୁସ୍ଥ ଅନୁଭବ କରିଥିବା ମଧ୍ୟ ସୂଚନା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜନୀତିରେ ଯୋଗ ଦେବା ପୂର୍ବରୁ ସୁନ୍ଦରରାଜନ ବୃତ୍ତିରେ ଜଣେ ଡାକ୍ତର ଥିଲେ। ରାଜ୍ୟପାଳଙ୍କ ଏପରି ମହାନତା ଦେଖି ବିମାନର ଅନ୍ୟ ଯାତ୍ରୀମାନେ ଫଟୋ ଓ ସେଲ୍ଫି ଉଠାଇବା ସହ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ। ତେବେ ରାଜ୍ୟପାଳଙ୍କ ଏପରି କାର୍ଯ୍ୟ ତାଙ୍କୁ ସାଧାରଣରେ ପ୍ରଶଂସିତ କରିଛି।
ଡ. ସୁନ୍ଦରରାଜନ ବର୍ତ୍ତମାନ ତେଲେଙ୍ଗାନା ସହ ପୁଡୁଚେରୀର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ବରେ ରହିଛନ୍ତି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ଗାଇନୋଲୋଜି ଡାକ୍ତର ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରି ଡିଏମ୍କେ ପ୍ରାର୍ଥିନୀ ଏମ.କେ କାନିମୋଝିଙ୍କୁ ପରାଜିତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରେ ତାଙ୍କୁ ରାଜ୍ୟପାଳ ଭାବେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବସ୍ଥାପିତ କରାଯାଇଥିଲା।