ବିହାର ନିର୍ବାଚନ: ୧୦ଲକ୍ଷର ନିଯୁକ୍ତି ପ୍ରତିଶ୍ରୁତି ଦେଇଛି ଆରଜେଡି

ପାଟନା, ଏଜେନ୍ସି: ବାହରରେ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଜୋରଶୋର୍ ପ୍ରଚାରରେ ଲାଗିପଡ଼ିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହି ଅବସରରେ ଆରଜେଡି ଆଜି ନିଜର ନିର୍ବାଚନୀ ଇସ୍ତାହାର ଜାରିକରିଛି। ପାଟନାରେ ତେଜସ୍ୱୀ ଯାଦବ, ମନୋଜ ଝାଙ୍କ ସମେତ ପାର୍ଟିରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି ଦଳୀୟ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ଇସ୍ତାହାରରେ ବିହାରର ବେରୋଜଗାର ସମସ୍ୟାକୁ ଗୁରୁତ୍ୱ ଦେଇ ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦୋହରାଇଛି। ଏହା ବ୍ୟତୀତ କ୍ଷମତାକୁ ଆସିଲେ ଦଳ ବେରୋଜଗାର ଯୁବକମାନଙ୍କୁ ୧୫୦୦ ଟଙ୍କା ବେରୋଜଗାରୀ ଭତ୍ତା ଦେବ ବୋଲି କହିଛି। ସେହିପରି ସରକାରୀ ଚାକିରି ଲାଗି ଆବେଦନ କରିବାକୁ ହେଲେ ବିହାରର ଯୁବପିଢି଼ଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବନି ବୋଲି ଆରଜେଡି ନିଜ ଇସ୍ତାହାରରେ କହିଛି।ସରକାରୀ ଚାକିରିରେ ବିହାରର ଯୁବକମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ରାଜ୍ୟ ସରକାର ଘରୋଇ ନୀତି ଆଣିବେ ଏବଂ ସରକାରୀ ଚାକିରିର ୮୫ ପ୍ରତିଶତ ବିହାର ଯୁବକମାନଙ୍କ ପାଇଁ ସଂରକ୍ଷିତ ରଖାଯିବ। ଏହାଛଡ଼ା କୃଷକମାନଙ୍କ ଋଣ ଛାଡ଼ କରିବାକୁ ମଧ୍ୟ ଆରଜେଡି ଘୋଷଣା କରିଛି।