ଚାଲିଲା ପ୍ରଥମ ବେସରକାରୀ ଟ୍ରେନ ତେଜସ ଏକ୍ସପ୍ରେସ୍

ଲକ୍ଷ୍ନୌ,ଏଜେନ୍ସି: ଲକ୍ଷ୍ନୌରୁ ଦୌଡିଲା ଦେଶର ପ୍ରଥମ ବେସରକାରୀ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଲକ୍ଷ୍ନୌ ଓ ନୂଆଦିଲ୍ଲୀକୁ ଯାତାୟାତ ପାଇଁ ଭାରତର ପ୍ରଥମ ଘରୋଇ ଆଂଶିକ ଦ୍ରୁତଗାମୀ ଟ୍ରେନ୍ ‘ତେଜସ୍ ଏକ୍ସପ୍ରେସ୍’ର ଶୁଭ ଉଦଘାଟନ କରିଛନ୍ତି।


ତେଜସ୍ ଏକ୍ସପ୍ରେସ୍ ଭାରତୀୟ ରେଳବାଇର ପ୍ରଥମ ଟ୍ରେନ୍ ଯାହାକି ତା’ର ସହାୟକ ‘ଇଣ୍ଡିଆନ୍ ରେଲୱେଜ୍ କ୍ୟାଟରିଙ୍ଗ୍ ଆଣ୍ଡ୍ ଟୁରିଜମ୍ କର୍ପୋରେସନ୍(ଆଇଆରସିଟିସି) ଦ୍ୱାରା ଚଳାଚଳ କରିବ। ରାଜସ୍ୱ ବଢ଼ାଇବା ନିମନ୍ତେ ରେଳ ମନ୍ତ୍ରାଳୟ ଗ୍ରହଣ କରିଥିବା ୧୦୦ଦିନିଆ ଆକ୍ସନ୍ ପ୍ଲାନ୍ ଅନୁସାରେ ଘରୋଇ ବ୍ୟବସ୍ଥାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଶନିବାର ଠାରୁ ଏହି ବ୍ୟାବସାୟିକ ଯାତ୍ରା ଆରମ୍ଭ ହେବ। ତେଜସ୍ ଏକ୍ସପ୍ରେସ୍ ଟ୍ରେନ୍ ନମ୍ବର ୮୨୫୦୧ ଓ ଏହା ସକାଳ ୬ଟା ୧୦ରେ ଲକ୍ଷ୍ନୌରୁ ବାହାରି ଅପରାହ୍ଣ ୧୨ଟା ୨୫ରେ ନୂଆଦିଲ୍ଲୀ ରେଳବାଇ ଷ୍ଟେସନରେ ପହଞ୍ଚିବ। ସେହିପରି ଟ୍ରେନ୍ ନମ୍ବର ୮୨୫୦୨ ୩ଟା ୩୫ରେ ଦିଲ୍ଲୀ ଛାଡ଼ି ରାତି ୧୦ଟା ୫ରେ ଲକ୍ଷ୍ନୌରେ ପହଞ୍ଚିବ। ତେବେ ଏହି ଟ୍ରେନ ଦିନରେ ଯାଆସ କରିବ ଓ ମଙ୍ଗଳବାର ବନ୍ଦ ରହିବ।