ପୁଣି ହ୍ରାସ ହେଲା ରେପୋ ରେଟ୍

ମୁମ୍ୱାଇ,ଏଜେନ୍ସି: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ଏହାର ନୀତିଗତ ଦର ରେପୋ ରେଟରେ ହ୍ରାସ କରାଯାଇଛି। କ୍ରମାଗତ ପଞ୍ଚମ ଥର ପାଇଁ ଆରବିଆଇ ଏହାର ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକରେ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରିବା ପରେ ୪.୯ ପ୍ରତିଶତ ହୋଇଛି ରେପୋ ରେଟ୍। ଏହି ବୈଠକକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅଧ୍ୟକ୍ଷତା କରିଥିଲେ। ଆରବିଆଇର ଏହି ନିଷ୍ପତ୍ତି ପରେ ସାଧାରଣ ଲୋକଙ୍କ ପକେଟ ଉପରେ ଋଣ ବୋଝ କମ୍ ପଡ଼ିବ ବୋଲି କୁହାଯାଉଛି। ଏହାଦ୍ୱାରା ଗାଡ଼ି, ଗୃହ ସମେତ ବ୍ୟକ୍ତିଗତ ଋଣ ଶସ୍ତା ହେବ। ଅର୍ଥାତ ଯେଉଁମାନେ ବ୍ୟାଙ୍କରୁ ଋଣ ନେବେ ଏବଂ ଆଗାମୀ ଦିନରେ ଇଏମ୍‌ଆଇ ଦେବେ ସେମାନଙ୍କୁ କମ୍ ଆର୍ଥିକ ବୋଝ ସହିବାକୁ ପଡ଼ିବ।

୨୦୧୯-୨୦ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୬.୯ ପରିବର୍ତ୍ତେ ୬.୧ ରହିବ ବୋଲି ଆକଳନ କରାଯାଇଛି।
ଦେଶର ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ଏହାକୁ ସୁଧାରିବାକୁ ଆରବିଆଇ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରି ଲଗାତର ଭାବେ ରେପୋ ରେଟ୍ କମାଉଛି ବୋଲି ଅର୍ଥବିଶାରଦମାନେ ପ୍ରତିକ୍ରିୟାରେ କହିଛନ୍ତି। ଆରବିଆଇର ଏହି ନିଷ୍ପତ୍ତି ଦ୍ୱାରା ମହଙ୍ଗା ବଜାରକୁ ଆଗକୁ ନିୟନ୍ତ୍ରଣ କରିହେବ ବୋଲି ଆକଳନ କରାଯାଉଛି। ଏହି ବୈଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସମେତ ୬ ଜଣ ବିଶେଷଜ୍ଞ ଉପସ୍ଥିତ ଥିଲେ।