ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କୁ ମୁମ୍ବାଇରୁ ଗିରଫ କଲା ଗୁଜୁରାଟ ଏଟିଏସ୍‌

ମୁମ୍ବାଇ,ଏଜେନ୍ସି: ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କୁ ମୁମ୍ବାଇରୁ ଗିରଫ କରିଛି ଗୁଜୁରାଟ ଏଟିଏସ୍‌ ଟିମ । ଆଜି ଗୁଜୁରାଟ ଏଟିଏସ୍‌ର ଟିମ ମୁମ୍ବାଇରେ ତିସ୍ତାଙ୍କୁ ତାଙ୍କ ବାସଭବନରେ ଅଟକ ରଖି ପଚରାଉଚରା କରିଥିଲା । କିଛି ସମୟର ଅଟକ ପରେ ତାଙ୍କୁ ଗିରଫ କରାଯାଇ ସ୍ଥାନୀୟ ସାନ୍ତାକ୍ରୁଜ ଥାନାକୁ ନିଆଯାଇଛି । ସେ ଚଳାଉଥିବା ଏନ୍‌ଜିଓରେ ବିଦେଶୀ ପାଣ୍ଠି ସମ୍ପର୍କିତ ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।

ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୋଧ୍ରା ମାମଲାରେ କ୍ଲିନଚିଟ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଦାଖଲ ହୋଇଥିବା ମାମଲା ଖାରଜ ହେବାର ଗୋଟିଏ ଦିନ ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଛି ଗୁଜୁରାଟ ଏଟିଏସ । ତିସ୍ତାଙ୍କ ଦ୍ବାରା ପରିଚାଳିତ ଏନ୍‌ଜିଓ ସଂସ୍ଥା ସହାୟତା ଆକାରରେ ବିଦେଶୀ ପାଣ୍ଠି ଗ୍ରହଣ କରିଥିବା ଅଭିଯୋଗରେ ଆଜି ତାଙ୍କ ବାସଭବନରେ ଚଢାଉ କରିଥିଲା ଏଟିଏସ । କିଛି ସମୟ ଜେରା ପରେ ତାଙ୍କୁ ଗିରଫ କରାଯାଇଛି ।