ଆଜି ୱେଷ୍ଟ ଇଣ୍ଡିଜ ଓ ଭାରତ ଦ୍ବିତୀୟ ଦିନିକିଆ, ଆଗୁଆ ସିରିଜ ସିଲ ଲକ୍ଷ୍ୟରେ ଭାରତ

ପୋର୍ଟ ଅଫ ସ୍ପେନ,ଏଜେନ୍ସି: ଆଜି (ରବିବାର) ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯିବ । କୁଇନ୍ସ ପାର୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତିବା ପରେ ଭାରତର ମନୋବଳ ଦୃଢ ରହିଛି । ଶିଖର ଧାୱନଙ୍କ ନେତୃତ୍ବରେ ଲଗାତର ଦ୍ବିତୀୟ ଦିନିକିଆକୁ ଜିତି ଆଗୁଆ ସିରିଜ କବଜ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ସେପଟେ ଘରୋଇ ଦଳ ପାଇଁ ଆଜିର ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି ହୋଇଛି । ଇଣ୍ଡିଜ ହାତରୁ ମ୍ୟାଚ ଖସିଲେ ଭାରତ କବଜାକୁ ସହଜରେ ଚାଲିଯିବ ଦିନିକିଆ ସିରିଜ ।

ପ୍ରଥମ ମ୍ୟାଚରେ ଭାରତକୁ ବିଜୟ ପାଇଁ ସଂଘର୍ଷ କରିବାକୁ ପଡିଥିଲା । ୩୦୮ ରନର ବିଶାଳ ସ୍କୋର କରିବା ପରେ ବି ଭାରତ ମାତ୍ର ୩ ରନରେ ବିଜୟ ହାସଲ କରିଥିଲା । ପ୍ରଥମ ଦିନିକିଆରେ ବ୍ୟାଟିଂରେ ଭାରତ ଭଲ ପ୍ରଦର୍ଶନ କରିଥିଲା ମାତ୍ର ବୋଲିଂରେ ଭଲ ପ୍ରଦର୍ଶନ କରିନଥିଲା । ଆଜିର ମ୍ୟାଚରେ ସବୁ ତ୍ରୁଟି ସୁଧାରି ଦଳକୁ ମଇଦାନକୁ ଓହ୍ଲାଇବାକୁ ପଡିବ । ଛୋଟିଆ ଭୁଲ ଦଳ ଉପରେ ଭାରି ପଡିପାରେ । ଶିଖର ଧାୱନ ଓ ଶୁଭମନ ଗିଲଙ୍କ ଯୋଡି ଶତକୀୟ ଭାଗିଦାରୀ ଦଳର ବିଜୟର ପ୍ରମୁଖ ଭୂମିକା ତୁଲାଇଥିଲେ । ତଥାପି ଦଳର ମଧ୍ୟକ୍ରମ ବ୍ୟାଟିରଙ୍କ ବିଫଳତା ନେଇ ଚିନ୍ତା ରହିଛି । ଆଜିର ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ, ସାମସନ ଓ ହୁଡା ଉପଯୋଗୀ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି । ଜାଡେଜା ଆହତ ହୋଇଥିବା ଆଜିର ମ୍ୟାଚ ଖେଳି ନପାରନ୍ତି ।

ସେପଟେ ପ୍ରଥମ ଦିନିକିଆରେ ହାରି ଚିନ୍ତାରେ ପଡିଛି ଦଳ । ଭାରତକୁ ହରାଇବାକୁ ହେଲେ ଇଣ୍ଡିଜକୁ ଦଳଗତ ପ୍ରଦର୍ଶନ କରିବାକୁ ହେବ ତାହାଲେ ଯାଇ ଘରୋଇ ଦଳ ବିଜୟ ସ୍ବାଦ ଚାଖିବ। ପ୍ରଥମ ମ୍ୟାଚରେ ବିଫଳ ହୋଇଥିବା ଓପନର ସାଇ ହୋପଙ୍କ ବ୍ୟାଟରୁ ବଡ ଇନିଂସ ଆଶା କରାଯାଉଛି ।