ଆଜି ଜମ୍ମୁ କଶ୍ମୀର ଗସ୍ତରେ ଯିବେ ରାଜନାଥ ସିଂ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୨୬ରେ କାର୍ଗିଲ ବିଜୟ ଦିବସ ପାଳିବ ଦେଶ । ଏହା ପୂର୍ବରୁ ଆଜି ଜମ୍ମୁ କଶ୍ମୀର ଗସ୍ତରେ ଯିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେଠାରେ କାର୍ଗିଲ ବିଜୟ ଦିବସ ପୂର୍ବରୁ ଆୟୋଜିତ ଏକ ସ୍ମୃତି ସମାରୋହରେ ସାମିଲ ହେବେ ରାଜନାଥ । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ରାଜନାଥ ସିଂ ଆଜି ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବାଲେଙ୍କ ସହ ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟ ଗୁଲଶନ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ସେଠାରେ ଏକ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

କାର୍ଗିଲ ବିଜୟ ଦିବସକୁ ୨୩ ବର୍ଷ ପୂରଣ ହେବାକୁ ଥିବା ବେଳେ କାର୍ଗିଲ ମେମୋରିଆଲରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଭାରତୀୟ ସେନା । ୧୯୯୯ରେ କାର୍ଗିଲ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଏ । ଏଥିପାଇଁ ଯୁଦ୍ଧ ମେମୋରିଆଲରେ ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଥିରେ ସେନା ତଥା ପ୍ରଶାସନିକ ବ୍ୟକ୍ତି ବିଶେଷ, ଗ୍ୟାଲେଣ୍ଟ୍ରି ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ଯୋଗଦେବେ ।