କର୍ଲାଖମନ ରାହୁଳ ନଦୀ କୂଳର ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ 

ଦେଓଗାଁ,ଏନ୍‌ଏନ୍‌ଏସ୍‌: ତୁଷୁରା ଥାନା ଅନ୍ତର୍ଗତ ବିରାମୁଣ୍ଡା ପଞ୍ଚାୟତର କର୍ଲାଖମନ ଗାଁ ନିକଟରେ ଥିବା ରାହୁଳ ନଦୀ ବିରିଘାଟରେ ଏକ ଅର୍ଦ୍ଧଦଗ୍ଧ ମୃତଦେହକୁ ତୁଷୁରା ପୁଲିସ ଉଦ୍ଧାର କରିଛି । ଉକ୍ତ ମୃତଦେହର ଶରୀର ଅଣ୍ଟାରୁ ଉପରକୁ ପୋଡ଼ିଯିବା ସହ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, କଣ୍ଟାମାଳ ଥାନା ଅନ୍ତର୍ଗତ ଉଡେର ଗ୍ରାମର ସହକାରୀ ଶିକ୍ଷକ ବାସୁଦେବ ଭୋଇ ଗତ ୧୨ ତାରିଖ ସନ୍ଧିସରା ଗାଁର ପିଉସି ପୁଅ ପାଖକୁ ଆସିଥିଲେ। ପରେ କୌଣସି ଏକ କାମରେ କର୍ଲାଖମନ ଗାଁକୁ ଯାଇ ସେଠାରୁ ନିଖୋଜ ହୋଇଯାଇଛନ୍ତି । କର୍ଲାଖମନ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲା ପରେ ବାସୁଦେବଙ୍କ ପତ୍ତା ନ ମିଳିବାରୁ ତାଙ୍କ ମା’ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କଣ୍ଟାମାଳ ଓ ତୁଷୁରା ପୁଲିସ ମିଳିତ ଭାବରେ ତଦନ୍ତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାସୁଦେବଙ୍କ ସମ୍ବନ୍ଧରେ କୌଣସି ସୂଚନା ମିଳିନଥିଲା । ହେଲେ ପରିବାର ଲୋକେ ଖୋଜାଖୋଜି ଜାରି ରଖିଥିଲେ । ବୁଧବାର ସନ୍ଧ୍ୟାରେ କର୍ଲାଖମନ ରାହୁଳ ନଦୀକୂଳ ବିରିଘାଟରେ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମୁଣ୍ଡରେ ଆଘାତ ଲାଗିଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତୁଷୁରା ପୁଲିସ ଘଟଣାସ୍ଥଳକୁ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।