ଏକ ନିଆରା ମଣିଷ ଶିକ୍ଷକ ରାଜେନ୍ଦ୍ର ପ୍ରଧାନ…

ବରଗଡ,ଏନ୍ଏନ୍ଏସ୍ : ଛାତ୍ରଛାତ୍ରୀଙ୍କ ସ୍ନେହମମତା, ଗ୍ରାମବାସୀଙ୍କ ମିଳାମିଶା ତଥା ବିଦ୍ୟାଳୟ ପରିବେଶ ଭିତରେ ସେ ଏମିତି ବୁଡିଗଲେ ଯେ ଅବସର ପରେ ବି ଛାଡି ପାରି ନାହାନ୍ତି ବିଦ୍ୟାଳୟ । ଏବେ ବି ପ୍ରତିଦିନ ସ୍କୁଲକୁ ଆସୁଛନ୍ତି , ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉଛନ୍ତି । ବିଦ୍ୟାଳୟରେ ଯେଉଁ ଶ୍ରେଣୀ ଖାଲି ପଡିଥିବ ସେଠାକୁ ଯାଇ ସେହି ସମୟରେ ଯେଉଁ ବିଷୟ ପଢ଼ାଇବାକୁ ଥିବ ତାହା ପଢ଼ାଇଥାନ୍ତି । ଏଥିପାଇଁ ସେ କାହାଠାରୁ କୌଣସି ପାରିଶ୍ରମିକ ନେଉନାହାନ୍ତି , ବରଂ ଶିକ୍ଷା ଓ ଶିକ୍ଷାୟତ ପ୍ରତି ଥିବା ତାଙ୍କ ଦୁର୍ବଳତା ଯୋଗୁଁ ହିଁ ସେ ଛାଡି ପାରୁନାହାନ୍ତି ବିଦ୍ୟାଳୟ । ଏପରି ଜଣେ ଆଦର୍ଶ ଶିକ୍ଷକ ହେଉଛନ୍ତି ଭଟଲି ବ୍ଲକ ମୁଲବାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ପ୍ରଧାନ । ବର୍ତମାନ ତାଙ୍କୁ ୬୨ ବର୍ଷ ବୟସ ହେଉଥିବା ବେଳେ ଦୁଇବର୍ଷ ପୂର୍ବେ ସେ ଅବସର ଗ୍ରହଣ କରିସାରିଛନ୍ତି । ତା ସତ୍ୱେ ମଧ୍ୟ ସେ ପ୍ରତ୍ୟହ ବ୍ଳକ ସଦର ମହକୁମା ଭଟଲିରୁ ମୁଲବାରକୁ ପାଠ ପଢ଼ାଇବା ପାଇଁ ପହଂଚିଥାନ୍ତି ।

ବରଗଡ଼ ବ୍ଳକ ରେଙ୍ଗାଲିପାଲି ଗ୍ରାମର ଶ୍ରୀ ସାହୁ ୧୯୮୧ ମସିହାରେ ଦେବଗଡ ଜିଲ୍ଳାରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ବର୍ତମାନ ଅବସର ପରେ ବି ପ୍ରତିଦିନ ସ୍କୁଲକୁ ଯାଉଛନ୍ତି । ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି । ତାଙ୍କ ଶିକ୍ଷାଦାନ କରୁଥିବା ଦୃଶ୍ୟ ଏକ ସାଧାରଣ ଲାଗୁଥିଲେ ମଧ୍ୟ ତା ଭିତରେ ଲୁଚି ରହିଛି ଏକ ଅସାଧାରଣ ବ୍ୟକ୍ତିତ୍ୱ । ଯାହାକି ପ୍ରମାଣ ଦିଏ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ପ୍ରତି ଥିବା ତାଙ୍କର ସମର୍ପଣ ମନୋଭାବକୁ । ପ୍ରତିଦିନ ସକାଳ ହେବା କ୍ଷଣେ ଠିକ ସମୟରେ ପହଂଚି ପଡନ୍ତି ବିଦ୍ୟାଳୟକୁ । ଯଦିଓ ଇଂରାଜୀ ଭାଷା ସାହିତ୍ୟ ଉପରେ ତାଙ୍କର ପାଣ୍ଡିତ୍ୟ ରହିଛି ତଥାପି ବିଦ୍ୟାଳୟର ଯେ କୌଣସି ଶ୍ରେଣୀ କକ୍ଷକୁ ଯାଇ ସମୟସାରଣୀ ଭିତରେ ଥିବା ସମସ୍ତ ପାଠ୍ୟକ୍ରମ ଉପରେ ଶିକ୍ଷାଦାନ ଦେବାର ରହିଛି ଅଦମ୍ୟ ଦକ୍ଷତା । ତାଙ୍କର ଏହି ମହନୀୟ ଗୁଣ ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଚଂଳବାସୀ ସମସ୍ତଙ୍କ ଠାରେ ହୋଇଯାଇଛନ୍ତି ଏକ ନିଆରା ମଣିଷ ।

ଦେବଗଡ ଜିଲ୍ଳାରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ ପରେ ସରଣ୍ଡା, ନିଲେଶ୍ୱର, ଡୁମେରପାଲି, କୁଚିଣ୍ଡା, କର୍ଲା, ବେନିଆଁପାଲି ପ୍ରଭୃତି ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଭଟଲି ବ୍ଳକରେ ଶିକ୍ଷା ନିରୀକ୍ଷକ ପରି ଗୁରୁଦାୟିତ୍ୱ ମଧ୍ୟ ସଫଳତାର ସହ ତୁଲାଇଛନ୍ତି। ଏହା ପରେ ୨୦୧୩ ମସିହାରେ ମୁଲବାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଯୋଗଦାନ କରିଥିଲେ। ସେହିଦିନ ଠାରୁ ଅବସର ନେବା ପର୍ଯ୍ୟନ୍ତ ଅର୍ଥାତ ୨୦୧୭ ନଭେମ୍ବର ମାସ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ରହିଥିଲେ । ଚାରି ବର୍ଷ ଶିକ୍ଷାଦାନ ଭିତରେ ସେ ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ତଥା ସହକର୍ମୀଙ୍କ ସହ ଏପରି ଭାବରେ ଜଡିତ ହୋଇ ଯାଇଛନ୍ତି ଯେ ଅବସର ପରେ ବି ସେହି ବିଦ୍ୟାଳୟରେ ବିନା କୌଣସି ପାରିଶ୍ରମିକରେ ଶିକ୍ଷାଦାନ ଜାରି ରଖିଛନ୍ତି ।

ଏଥିପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ତଥା ଗ୍ରାମବାସୀ ଯେତିକି ଖୁସି ଓ ଗର୍ବ ଅନୁଭବ କରନ୍ତି ତାଠାରୁ ଅଧିକ ଆତ୍ମତୃପ୍ତି ଅନୁଭବ କରନ୍ତି ଶିକ୍ଷକ ରାଜେନ୍ଦ୍ର କୁମାର ପ୍ରଧାନ । ସତରେ ଆଜିର ସ୍ୱାର୍ଥପର ଦୁନିଆରେ ରାଜେନ୍ଦ୍ର କୁମାର ପ୍ରଧାନଙ୍କ ପରି ସମର୍ପିତ ପ୍ରତିଭାମାନେ ହିଁ ଆଗାମୀ ପୀଢ଼ି ପାଇଁ ଗୋଟିଏ ଉଦାହରଣ ଏଥିରେ ସନ୍ଦେହ ନାହିଁ ।