ପୋଖରୀରେ ବୁଡି ଶିକ୍ଷକଙ୍କ ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଧରମପୁର ଗ୍ରାମରେ ପୋଖରୀରେ ଗାଧୋଉ ଥିବାବେଳେ ପାଣିରେ ବୁଡି ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, କର୍ଡାପାଳ ସରକାରୀ ଉନ୍ନିତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଧରମପୁର ଗ୍ରାମର ପ୍ରସନ୍ନ କୁମାର ପାତ୍ର ଆଜି ମଧ୍ୟାହ୍ନରେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ବୁଡି ଗୁରୁତର ହୋଇପଡିଥିଲେ। ପାଖରେ ଥିବା ଅନ୍ୟ କେତେକ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।