ଝାରସୁଗୁଡ଼ା: ବିବାହ ବାର୍ଷିକୀକୁ ଲୋକେ ମଉଜ ମଜଲିସରେ ପାଳନ କରୁଥିବାବେଳେ ଝାରସୁଗୁଡ଼ାର ଜଣେ ଶିକ୍ଷକ ଦମ୍ପତ୍ତି ରକ୍ତଦାନ କରି ଜନସମାଜକୁ ଏକ ନୂତନ ବାର୍ତ୍ତା ଦେଇଛନ୍ତି । ସ୍ଥାନୀୟ ଡିଏଭି ପବ୍ଲିକ୍ ସ୍କୁଲରେ କାର୍ୟ୍ୟରତ ଶିକ୍ଷକ ଏମଭିଏଲଏନ ରାଓ ଓ ବ୍ଲାକ ଡାଇମଣ୍ଡ କଲେଜ ଅଫ ଇଂଜିନିୟରିଂରେ କାର୍ୟ୍ୟରତ ଶିକ୍ଷୟିତ୍ରୀ ଚଞ୍ଚଳ ଦୁଆ ବିବାହର ୧୦ ବର୍ଷ ପୂର୍ତ୍ତି ଅବସରରେ ମୋହିନୀ ରୋୟାଲ ହୋଟେଲରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଦମ୍ପତ୍ତିଙ୍କ ମା’ ଏମ୍ ରାଧା ଓ ଶାରଦା ଦୁଆ କାର୍ୟ୍ୟକ୍ରମ ଶୁଭାରମ୍ଭ କରିଥିବାବେଳେ ଶ୍ରୀ ରାଓ ଓ ଶ୍ରୀମତୀ ଦୁଆ ପ୍ରଥମେ ରକ୍ତଦାନ କରିଥିଲେ । ଏମ୍ ଭି ରମଣା, ହସମୁଖ ଦୁଆ, ଅଶୋକ ଦୁଆ, ପ୍ରତିଶ୍ରୁତି ପଣ୍ଡା, ରେଖା ମାହେଶ୍ୱରୀ, ରାଧା ସିଂହାନିଆ, ସୁନୀଲ ଗୋୟଲ, ନିତେଶ ଗୋନାତ୍ରା, ଆବାସ ମୋଦୀ ଓଏମ୍. କିଶୋର କୁମାର ଆଦି ସ୍ଵଇଚ୍ଛାରେ ରକ୍ତଦାନ କରିଥିଲେ। ଝାରସୁଗୁଡ଼ା ବ୍ଲଡ଼ ବ୍ୟାଙ୍କ ଅଫିସର ଡା. ଯୋଯୋ, ଡିଏଭି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ୟଙ୍ଗ ଷ୍ଟାର କ୍ଲବ ସଭାପତି ଅରବିନ୍ଦ ବାରିକଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ବନ୍ଧୁପରିଜନ ରକ୍ତଦାତା ଉପସ୍ଥିତ ରହି ଦମ୍ପତ୍ତିଙ୍କୁ ଉତ୍ସାହିତ କରିଥିଲେ । ମାରୱାଡି ମହିଳା ସମିତି ଦମ୍ପତ୍ତିଙ୍କ ଏପରି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ ସମ୍ବର୍ଦ୍ଧନା ଦେଇଥିଲେ । ଝାରସୁଗୁଡ଼ା ବ୍ଲଡ଼ ବ୍ୟାଙ୍କ ସହାୟତାରେ ରକ୍ତଦାତାଙ୍କଠାରୁ ମୋଟରେ ୪୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ପ୍ରମାଣପତ୍ର ସହ ସ୍ମରଣିକା ପ୍ରଦାନ କରାଯାଇଥିଲା। ଏପରି କାର୍ୟ୍ୟକ୍ରମକୁ ସ୍ୱାଗତ ଜଣାଇ ପ୍ରତିଶ୍ରୁତି ପଣ୍ଡା ପରି ମେଧାବୀ ବିଜ୍ଞାନ ଛାତ୍ରୀ ନବାଗତା ରକ୍ତଦାତା ଭାବେ ଯୋଗଦାନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଦମ୍ପତ୍ତିଙ୍କ ଏପରି ପ୍ରୟାସକୁ ଜନସମାଜରେ ଭବ୍ୟ ସ୍ୱାଗତ ଓ ପ୍ରଶଂସା କରାଯାଇଛି ।