୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଗଲେ ଶିକ୍ଷକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ସିଆରମାଳିଆ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତ ଶିକ୍ଷକଙ୍କୁ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ଛାତ୍ରୀ ଜଣକୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ ସାହୁ ସ୍କୁଲ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଜ୍ଞାନ ପଢ଼ାଇବା ଆଳରେ ଡାକିନେଇ ଛାତ୍ରୀଙ୍କ ଶରୀରରୁ ଜାମା ଓଲ୍ହାଇ ବିଭିନ୍ନ ସମ୍ବେଦନ ଶୀଳ ଅଙ୍ଗରେ ହାତ ମାରିଥିଲେ। ତେବେ ଏହି ସମୟରେ କେହି ଜଣେ ସ୍କୁଲ କାର୍ଯ୍ୟାଳୟ କବାଟ ବାଡେଇବାରୁ ଶିକ୍ଷକଙ୍କ କବଳରୁ ଛାତ୍ରୀ ଜଣକ ଖସି ଦୌଡ଼ି ପଳାଇଥିଲେ।

ଏନେଇ ସ୍କୁଲରୁ ଫେରି ଛାତ୍ରୀ ଜଣକ ପରିବାର ଲୋକଙ୍କୁ ସମସ୍ତ ଘଟଣା କହିବାରୁ ଗତକାଲି ପରିବାର ଲୋକେ ସ୍କୁଲ ପରିଚାଳନା କମିଟି ନିକଟରେ ଅଭିଯୋଗ କରିବା ସହ ଏନେଇ ପୁଲିସ ନିକଟରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଶିକ୍ଷକ ସନ୍ତୋଷ ସାହୁକୁ ଗିରଫ କରିଥିଲା। ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ଅଭିଯୁକ୍ତ ଶିକ୍ଷକଙ୍କୁ ପୁଲିସ ପଠାଇଛି। ଅଭିଯୁକ୍ତ ଶିକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ବୋଲି ଜଣାପଡିଛି।