ବିଜୟଓ୍ବାଡାରେ ବାଣ ଷ୍ଟଲ୍‌ରେ ବିସ୍ଫୋରଣ, ୨ ମୃତ

ଅମରାବତୀ,ଏଜେନ୍ସି: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଦୀପାବଳି ପୂର୍ବରୁ ଅଘଟଣ । ବାଣ ଷ୍ଟଲରେ ନିଆଁ ଲାଗି ବିସ୍ଫୋରଣ ଘଟିବାରୁ ୨ ଜଣ ପ୍ରାଣ ହରାଇଛନ୍ତି । ଆଜି (ରବିବାର) ପୂର୍ବାହ୍ନରେ ଏହି ବିସ୍ଫୋରଣ ଘଟିଛି । ୩ଟି ଅସ୍ଥାୟୀ ବାଣ ଷ୍ଟଲ ବିସ୍ଫୋରଣରେ ସମ୍ପୂର୍ଣ୍ଣ ଜଳିଯାଇଛି । ସ୍ଥାନୀୟ ଅଗ୍ନିଶମ ବାହିନୀର ଏକାଧିକ ଟିମ ପହଞ୍ଚି ନିଆଁକୁ ଆୟତ କରିଥିଲେ । ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ । ପ୍ରଥମେ କୌଣସି କାରଣରୁ ନିଆଁ ଲାଗିବା ପରେ ପାଖାପାଖି ଥିବା ତିନିଟି ଷ୍ଟଲକୁ ବ୍ୟାପି ଯାଇଥିଲା । ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ତେବେ ଯେଉଁଠାରେ ବାଣ ଷ୍ଟଲ ଲଗାଇବାକୁ ପ୍ରଶାସନ ଅନୁମତି ପ୍ରଦାନ କରିଥିଲା, ତାର ଠିକ୍‌ ବିପରୀତ ଦିଗରେ ଏକ ପେଟ୍ରୋଲ ପମ୍ପ ମଧ୍ୟ ରହିଛି ।

ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହେବା ସହ ପ୍ରଶାସନକୁ ଦାୟୀ କରିଥିଲେ । ସ୍ଥାନୀୟ ବିଧାୟକ ମଲାଲାଡି ବିଷ୍ଣୁ ଏବଂ ନଗର ପୋଲିସ କମିଶନର କେ.ଆର ଟାଟା ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।