ବନ୍ଧା ହେଲେ ଶିକ୍ଷକ, ଜାଲ୍ ସାର୍ଟିଫିକେଟ୍ ଦେଇ କରିଥିଲେ ଚାକିରି

ନବରଙ୍ଗପୁର,ଏନ୍ଏନ୍ଏସ୍: ନକଲି ସାର୍ଟିଫିକେଟ ଦେଇ ଦୀର୍ଘ ୬ ବର୍ଷ ହେଲା ଶିକ୍ଷକତା କରିଆସୁଥିଲେ। ଆଜି ବନ୍ଧା ହୋଇ ଜେଲ ଗଲେ ଶିକ୍ଷକ। ଏଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ଶ୍ରୀକାନ୍ତ ଦଳେଇଙ୍କୁ ଗିରଫ କରିଛି କୋଡ଼ିଙ୍ଗା ଥାନା ପୁଲିସ। ଅଭିଯୋଗ ଅନୁସାରେ ଶ୍ରୀକାନ୍ତ ଜାଲ୍ ସାର୍ଟିଫିକେଟ୍ ଦେଇ ୨୦୧୩ ମସିହାରୁ ନବରଙ୍ଗପୁର ଜିଲ୍ଲାରେ ଚାକିରି କରି ଆସୁଥିଲେ। ଶ୍ରୀକାନ୍ତଙ୍କୁ କୋଷାଗୁମୁଡ଼ା ବ୍ଲକର ବାକଟିଗୁଡ଼ା ସ୍କୁଲରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ମିଳିଥିଲା।

ଶିକ୍ଷା ସହାୟକ ଭାବେ ୬ ବର୍ଷ କାର୍ଯ୍ୟ କରିବା ପରେ ସ୍ଥାୟୀ ନିଯୁକ୍ତି ପାଇଁ ଆବେଦନ କରିଥିଲେ ଶ୍ରୀକାନ୍ତ। ସାର୍ଟିଫିକେଟ୍ ତର୍ଜମା ବେଳେ ଏହା ଜାଲ୍ ଥିବା ଜଣାପଡ଼ିଥିଲା। ଏହାପରେ ୭ ମାର୍ଚ୍ଚ ୨୦୨୦ରେ କୋଷାଗୁମୁଡ଼ା ବିଇଓ ଥାନାରେ ଏତଲା ଦେଇଥିଲେ। ଏତଲା ପରଠାରୁ ଫେରାର୍ ଥିଲେ ଶ୍ରୀକାନ୍ତ। ଆଜି କୋଡ଼ିଙ୍ଗା ପୁଲିସ ଶ୍ରୀକାନ୍ତଙ୍କୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ବନସର ଗାଁରୁ ଗିରଫ କରିଥିଲା। ସେହିଭଳି ବଜ୍ରଗଡ଼ ସ୍କୁଲରେ ଶିକ୍ଷା ସହାୟକ ଭାବେ କାମ କରୁଥିବା ମାନସ ପରିଡ଼ାଙ୍କ ନାଁରେ ବିଇଓ ଏତଲା ଦେଇଛନ୍ତି। ମାନସ ମଧ୍ୟ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି।