ଛାତ୍ରଛାତ୍ରୀଙ୍କୁ ନକଲି ପ୍ରମାଣପତ୍ର ଦେଇ ଗିରଫ ହେଲେ ଶିକ୍ଷକ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଛାତ୍ରଛାତ୍ରୀଙ୍କୁ ନକଲି ବିଇଡି ସାର୍ଟିଫିକେଟ ଦେଇ ଗିରଫ ହେଲେ ଶିକ୍ଷକ। ମାଲକାନଗିରି ଜିଲ୍ଲାରେ ଘଟିଛି ଏପରି ଏକ ଠକେଇ ଘଟଣା । ଅରୁଣ ସେନ ନାମକ ଜଣେ ଶିକ୍ଷକ ଜିଲ୍ଲାର ଅନେକ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ନେଇ ବିହାରର ଲଳିତ ନାରାୟଣ ମିଥିଲା ବିଶ୍ୱବିଦ୍ୟାଳୟର ଜାଲ ପ୍ରମାଣ ପତ୍ର ପ୍ରଦାନ କରିଥିବା ଅଭିଯୋଗ ହୋଇଛି।

ଅରୁଣ ସେନ ପୂର୍ବରୁ ପିଲାଙ୍କୁ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାର ବର୍ଷକ ପରେ ପରୀକ୍ଷା ହେବ ଏବଂ ପରୀକ୍ଷାରେ ପାସ୍‌ ହୋଇଥିବା ପିଲାଙ୍କୁ ସାର୍ଟିଫିକେଟ ଦିଆଯିବ। କିନ୍ତୁ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଛି।

ତେବେ ଛାତ୍ରଛାତ୍ରୀଙ୍କ ସନ୍ଦେହ ହେବାରୁ ସେମାନେ ଏହାର ଯାଞ୍ଚ କରାଇଥିଲେ। ପରେ ଏହା ନକଲି ବୋଲି ଜଣାପଡ଼ିଥିଲା। ଏ ନେଇ ଛାତ୍ରଛାତ୍ରମାନେ ଶିକ୍ଷକ ଅରୁଣ ସେନଙ୍କ ନାମରେ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।