ଇଚ୍ଛାପୁର ଛକରେ ବାଇକ୍ ଆରୋହୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ୍

ପଟ୍ଟାମୁଣ୍ଡାଇ,ଏନ୍ଏନ୍ଏସ୍: ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଇଚ୍ଛାପୁର ଛକ ଠାରେ ଜନୈକ ବାଇକ ଆରୋହୀଙ୍କ ଠାରୁ ୨ଜଣ ଅଜଣା ଯୁବକ ମାରଣାସ୍ତ୍ର ଦେଖାଇ ୨ଲକ୍ଷ ୮୩ ହଜାର ଟଙ୍କା ଲୁଟି ନେଇଥିବା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପ୍ରକାଶ ଯେ ରାଜନଗର ଥାନା ବନ୍ଧସାହି ଗ୍ରାମର ସନମାଦୁର ବିଶ୍ୱାଳ ରାଜନଗର ମଦ ଦୋକାନରୁ ଟଙ୍କା ଧରି ବାଇକ୍ ଯୋଗେ ପଟ୍ଟାମୁଣ୍ଡାଇ ଆସୁଥିବାବେଳେ ତାଙ୍କୁ ୨ଜଣ ଅଜଣା ଯୁବକ ଅନୁସରଣ କରି ଇଚ୍ଛାପୁର ଛକ ଠାରେ ତାଙ୍କ ଉପରକୁ ଲଙ୍କାଗୁଣ୍ଡ ପକାଇଥିଲେ। ଏଥିରେ ହେଲମେଟ୍ ପିନ୍ଧିଥିବା ଶ୍ରୀ ବିଶ୍ୱାଳଙ୍କ ମୁଣ୍ଡରେ ଲଙ୍କାଗୁଣ୍ଡ ପଡିଥିଲା।

ଏଥିରେ ଶ୍ରୀ ବିଶ୍ୱାଳ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବାରୁ ଅଜଣା ଯୁବକ ୨ଜଣ ମାରଣାସ୍ତ୍ର ଦେଖାଇ ତାଙ୍କ ବାଇକ୍ ଡିକି ଭାଙ୍ଗି ୨ଲକ୍ଷ ୮୩ହଜାର ୧୯୦ଟଙ୍କା ଲୁଟି ନେଇଥିଲେ। ପରେ ଶ୍ରୀ ବିଶ୍ୱାଳ ଏ ସଂପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ। ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଏଏସଆଇ ବିଜୟ କୁମାର ଦାସ ଘଟଣାସ୍ଥଳକୁ ଯାଇ ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।